କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେପି ନେତା ଜେପି ନଡ୍ଡାଙ୍କ ଦିଲ୍ଲୀ ଏମ୍ସରେ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ନଡ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ତାଙ୍କୁ କାର୍ଡିଓଲୋଜି ବିଭାଗରେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି । ଅଗଷ୍ଟ ୧୭ ତାରିଖରେ ଏହି ପ୍ରକ୍ରିୟା କରାଯାଇଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ଅଗଷ୍ଟ ୧୩ ତାରିଖରେ ଅସୁସ୍ଥ ଅନୁଭବ କରିବାରୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।
ଏମ୍ସର ଅନୁସାରେ, ଏଞ୍ଜିଓପ୍ଲାଷ୍ଟି ପରେ ନଡ୍ଡାଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ତାଙକୁ କାର୍ଡିଓଲୋଜି ବିଭାଗରେ ରଖାଯାଇଛି । ଡାକ୍ତର ପ୍ରଫେସର ରୀମା ଦାଦା ଜାରି କରିଥିବା ବୟାନରେ କହିଛନ୍ତି, ଅଗଷ୍ଟ ୧୩ ସନ୍ଧ୍ୟାରେ ସ୍ବାସ୍ଥ୍ୟମନ୍ତ୍ରୀ ଅସୁସ୍ଥତା ଅନୁଭବ କରିବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କର ଯାଞ୍ଚ କରାଯାଇଥିଲା । ତାଙ୍କର କୋରୋନରୀ ଏଞ୍ଜିଓଗ୍ରାଫି କରାଯାଇଥିଲା । ତେବେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି । ଡାକ୍ତରଙ୍କ ନିରୀକ୍ଷଣରେ ହସପିଟାଲରେ ରଖାଯାଇଛି ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜଲଦି ସୁସ୍ଥ ହେବା କାମନା କରିଛନ୍ତି । ସେ ଲେଖିଛନ୍ତି, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ସୂଚନା ମିଳିଥିଲା । ମୁଁ ତାଙ୍କ ସଫଳ ଚିକିତ୍ସା ଏବଂ ଶୀଘ୍ର ସୁସ୍ଥ ହେବା ନେଇ କାମନା କରୁଛି ।
ନଡ୍ଡା ଡିସେମ୍ବର ୧୯୬୦ରେ ପାଟନାରେ ଜନ୍ମଗ୍ରହଣ କରିଥିଲେ । ପାଟନା ବିଶ୍ବବିଦ୍ୟାଳୟରେ ସ୍ନାତକ କରିବା ପରେ ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ବି କରିଥିଲେ । ୧୯୯୩ ମସିହାରେ ସେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶ ବିଧାନସଭାରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଓ ବିରୋଧୀ ଦଳ ନେତା ହୋଇଥିଲେ । ୨୦୧୦ ମସିହାରେ ନଡ୍ଡାଙ୍କୁ ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ କରାଯାଇଥିଲା । ୨୦୧୨ ମସିହାରେ ସେ ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ନଡ୍ଡା ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିଲେ । ଜୁନ୍ ୨୦୧୯ରେ ବିଜେପିର କାର୍ଯ୍ୟକାରୀ ଜାତୀୟ ସଭାପତି ହୋଇଥିଲେ। ୨୦୨୦ ଜାନୁଆରିରେ ବିଜେପି ଜାତୀୟ ସଭାପତି ହୋଇଥିଲେ ।