ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଶ୍ରୀଲଙ୍କାକୁ ୩୭୨ ରନର ଟାର୍ଗେଟ ଦେଇଛି ଭାରତ
ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଶ୍ରୀଲଙ୍କାକୁ ୩୭୨ ରନର ଟାର୍ଗେଟ ଦେଇଛି ଭାରତ । ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ୍ କରିଥିବା ଭାରତୀୟ ଟିମ୍ ଦ୍ବିତୀୟ ଇନିଂସରେ ମାତ୍ର ୧୯୩ ରନ୍ କରିପାରିଥିଲା । ଗିଲ୍ ବ୍ରିଗେଡ ଦ୍ବିତୀୟ ଇନିଂସରେ ମାତ୍ର ୧୯୩ ରନରେ ଅଲଆଉଟ ହୋଇଛି । ଶ୍ରୀଲଙ୍କା ଦ୍ବିତୀୟ ଇନିଂସ ଆରମ୍ଭ କରିବାରେ ବିଳମ୍ବ ହେଉଛି । ବର୍ଷା ହେବା ଯୋଗୁଁ ପଡିଆ ଓଦା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ରିଷଭ ପନ୍ତଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟର ୫୦ ରନ୍ ମଧ୍ୟ କରିନଥିଲେ । ୱିକେଟକିପର ବ୍ୟାଟର ରିଷଭ ପନ୍ତ ୬୬ ରନ୍ କରିଥିଲେ । ଯଶସ୍ବୀ ଜୟସୱାଲ ୦, କେଏଲ ରାହୁଲ ୩୫, ଦେବଦତ୍ତ ପାଡିକ୍କଲ ୪୪, ଶୁବମନ ଗିଲ୍ ୮, ରିଷଭ ପନ୍ତ ୬୬, ଧ୍ରୁବ ଜୁରେଲ ୭, ରବିନ୍ଦ୍ର ଜାଡେଜା ୯, ମାନବ ସୁଥାର ୯, କୁଲଦୀପ ଯାଦବ ୫, ପ୍ରସିଦ୍ଧ କ୍ରିଷ୍ଣା ୨ ରନ କରି ଆଉଟ୍ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଅସିଥା ଫର୍ନାଣ୍ଡୋ ୪ ୱିକେଟ ନେଇଥିଲେ ।
ଗାଲେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚରେ ସବୁଠାରୁ ବଡ଼ ସଫଳ ରନ ଚେଜ୍ ୩୪୨ ରନ୍ ରହିଛି । ଏହାକୁ ପାକିସ୍ତାନ ୨୦୨୨ରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲା । ଏବେ ଶ୍ରୀଲଙ୍କା ଭାରତ ଦେଇଥିବା ୩୭୨ ରନ ଟାର୍ଗେଟକୁ ପୂରଣ କରିପାରୁଛି କି ନାହିଁ, ତାହା ଖୁବଶୀଘ୍ର ଜଣାପଡିବ ।