ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ପ୍ରତି ସେତିକି ଯତ୍ନବାନ ନିହାତି ଆବଶ୍ୟକ। ଖରାଦିନେ ସାଧାରଣତଃ ଶରୀରର ହଜମ ପ୍ରକ୍ରିୟା ଧୀମା ହୋଇଯାଏ, ସେଥିପାଇଁ ଲୋକେ ହାଲୁକା ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଯେଉଁମାନେ ଆମିଷପ୍ରିୟ, ସେମାନଙ୍କ ପାଇଁ ଋତୁ ଯାହା ହେଉ ନା କାହିଁକି, ପ୍ଲେଟରେ ଚିକେନ୍ କିମ୍ବା ମଟନ୍ ନ ଥିଲେ ଭୋଜନ ଜମେନାହିଁ। ବିଶେଷ କରି ରବିବାର କିମ୍ବା ଛୁଟିଦିନ ଦ୍ୱିପ୍ରହରରେ ମାଂସ ଭାତ ଖାଇବା ଅନେକଙ୍କର ଏକ ଅଭ୍ୟାସ।
ତେବେ ପ୍ରଶ୍ନ ଉଠୁଛି, ଏହି ଭୟଙ୍କର ଗରମରେ ବିଶେଷ କରି ମଧ୍ୟାହ୍ନ ସମୟରେ ଚିକେନ୍ କିମ୍ବା ମଟନ୍ ଭଳି ଗରିଷ୍ଠ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେଦୂର ଠିକ୍? ଏହା ଶରୀର ଉପରେ କି ପ୍ରଭାବ ପକାଏ? ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାଏଟିସିଆନମାନଙ୍କର ଏହା ଉପରେ କଣ କହିଛନ୍ତି।
ଶରୀରର ତାପମାତ୍ରା ବଢ଼ାଇଦିଏ ‘ଥର୍ମୋଜେନେସିସ୍’ ପ୍ରକ୍ରିୟା
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଚିକେନ୍ ଏବଂ ମଟନରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଏବଂ ଫ୍ୟାଟ୍ ବା ଚର୍ବି ଥାଏ। ଯେତେବେଳେ ଆମେ ଖରାଦିନେ ଅଧିକ ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଉ, ଶରୀରରେ ‘ଥର୍ମୋଜେନେସିସ୍’ ପ୍ରକ୍ରିୟା ଦ୍ରୁତ ହୋଇଯାଏ। କାର୍ବୋହାଇଡ୍ରେଟ୍ ବା ଅନ୍ୟ ହାଲୁକା ଖାଦ୍ୟ ତୁଳନାରେ ପ୍ରୋଟିନକୁ ହଜମ କରିବା କିମ୍ବା ବ୍ରେକଡାଉନ୍ କରିବା ପାଇଁ ଶରୀରକୁ ଅଧିକ ପରିଶ୍ରମ ଓ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଏହି ହଜମ ପ୍ରକ୍ରିୟା ସମୟରେ ଶରୀର ଭିତରେ ଅଧିକ ଉତ୍ତାପ ବା ଗରମ ସୃଷ୍ଟି ହୋଇଥାଏ।
ଯଦି ଆପଣ ପ୍ରଚଣ୍ଡ ଖରା ଥିବା ସମୟରେ ଅର୍ଥାତ୍ ଦ୍ୱିପ୍ରହରରେ ଚିକେନ୍-ମଟନ୍ ଖାଉଛନ୍ତି, ତେବେ ବାହାରର ଗରମ ଏବଂ ଶରୀର ଭିତରର ଏହି ମେଟାବୋଲିକ୍ ହିଟ୍ ମିଶି ଶରୀରର ତାପମାତ୍ରାକୁ ହଠାତ୍ ବଢ଼ାଇ ଦେଇପାରେ। ଏହାଦ୍ୱାରା ଅତ୍ୟଧିକ ଝାଳ ବାହାରିବା, ଛାତି ଧଡ଼ଧଡ଼ ହେବା, ଅସ୍ଥିରତା ଏବଂ ଗୁଳୁଗୁଳି ଅନୁଭବ ହେବା ଭଳି ସମସ୍ୟା ଦେଖା ଦେଇଥାଏ।
ପାଚନ ପ୍ରକ୍ରିୟା ଉପରେ ପଡ଼େ ପ୍ରଭାବ
ଖରାଦିନେ ଶରୀରର ପାଚନ ଶକ୍ତି ପ୍ରାକୃତିକ ଭାବେ ଟିକେ ଦୁର୍ବଳ ଥାଏ। ଏଭଳି ସ୍ଥିତିରେ ଅଧିକ ତେଲ, ଗରମ ମସଲା ଓ ମସଲା ଯୁକ୍ତ ମାଂସ ତରକାରୀ ଖାଇବା ଦ୍ୱାରା ପେଟ ଫାମ୍ପିବା, ଏସିଡିଟି, ବଦହଜମୀ ଏବଂ ଗ୍ୟାସ୍ ସମସ୍ୟା ଦେଖାଯାଏ। ମଟନ୍ ପଚିବା ପାଇଁ ଚିକେନ୍ ତୁଳନାରେ ଅଧିକ ସମୟ ଓ ଶକ୍ତି ନେଇଥାଏ, ତେଣୁ ଗରମ ଦିନେ ମଟନ୍ ଅପେକ୍ଷା ଚିକେନ୍ ଖାଇବା ଅପେକ୍ଷାକୃତ ଭଲ ବୋଲି କୁହାଯାଏ।
ଖରା ଦିନେ ଆମିଷ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିବା ଜରୁରୀ କି ?
ପୋଷଣ ବିଶେଷଜ୍ଞଙ୍କ ମତରେ, ଖରାଦିନେ ଚିକେନ୍ କିମ୍ବା ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର ନୁହେଁ। ଏହାକୁ ସୀମିତ ପରିମାଣରେ ଏବଂ ସଠିକ୍ ଉପାୟରେ ପ୍ରସ୍ତୁତ କରି ଖାଇଲେ କୌଣସି କ୍ଷତି ହେବନାହିଁ। କିନ୍ତୁ ଆପଣଙ୍କୁ କିଛି ସତର୍କତା ଆପଣାଇବାକୁ ପଡ଼ିବ-
ରୋଷେଇ ଶୈଳୀ ବଦଳାନ୍ତୁ
ମାଂସରେ ଅଧିକ ତେଲ, ଘିଅ କିମ୍ବା ଗରମ ମସଲା ବ୍ୟବହାର କରନ୍ତୁ ନାହିଁ। ବରଂ ଏହାକୁ କମ୍ ମସଲାରେ ରାନ୍ଧିବା ଉଚିତ୍। ତରକାରୀରେ ଦହି କିମ୍ବା ଲେମ୍ବୁ ରସର ବ୍ୟବହାର ଏହାକୁ ହଜମ ପ୍ରକ୍ରିୟା ପାଇଁ ସହଜ କରିଥାଏ।
ସାଙ୍ଗରେ ରଖନ୍ତୁ ଥଣ୍ଡା ଖାଦ୍ୟ
ଯଦି ଆପଣ ଦ୍ୱିପ୍ରହରରେ ଆମିଷ ଖାଉଛନ୍ତି, ତେବେ ତାହା ସହିତ ପ୍ରଚୁର ପରିମାଣରେ ସାଲାଡ୍ (କାକୁଡ଼ି, ପିଆଜ) ଏବଂ ଦହି କିମ୍ବା ଘୋଳଦହି ନିଶ୍ଚୟ ସାମିଲ କରନ୍ତୁ। ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ପ୍ରଚୁର ପାଣି ପିଅନ୍ତୁ
ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ହଜମ କରିବା ପାଇଁ ଶରୀର ଅଧିକ ପାଣି ଖର୍ଚ୍ଚ କରିଥାଏ। ତେଣୁ ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ମାଂସ ଖାଇବାର କିଛି ସମୟ ପୂର୍ବରୁ ବା ପରେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ।