ଦୂଷିତ ଓ ଅସୁରକ୍ଷିତ ଖାଦ୍ୟ ସାରା ପାଇଁ ୮୬.୬ କୋଟି ଲୋକ ଅସୁସ୍ଥ ହୋଇଥିବା ବେଳେ ୧୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଏକ ନୂତନ ରିପୋର୍ଟ ଅନୁଯାୟୀ, ଦୂଷିତ ଓ ଅସୁରକ୍ଷିତ ଖାଦ୍ୟ ସାରା ବିଶ୍ୱରେ ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ସାଜିଛି। କେବଳ ୨୦୨୧ ମସିହାରେ ଏହି କାରଣରୁ ପ୍ରାୟ ୮୬.୬ କୋଟି ଲୋକ ଅସୁସ୍ଥ ହୋଇଥିବା ବେଳେ ୧୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।
୧. ଶିଶୁମାନଙ୍କ ପ୍ରତି ସର୍ବାଧିକ ବିପଦ
୫ ବର୍ଷରୁ କମ୍ ବୟସର ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାରୁ ସେମାନେ ଏହି ବିପଦର ସବୁଠାରୁ ବଡ଼ ଶିକାର ହେଉଛନ୍ତି। ବୟସ୍କଙ୍କ ତୁଳନାରେ ସେମାନଙ୍କଠାରେ ସଂକ୍ରମଣର ଆଶଙ୍କା ୩ ଗୁଣ ଅଧିକ। ବିଶ୍ୱ ଜନସଂଖ୍ୟାରେ ସେମାନଙ୍କ ଭାଗ ମାତ୍ର ୯% ହୋଇଥିଲେ ମଧ୍ୟ, ମୋଟ ଖାଦ୍ୟ ଜନିତ ରୋଗର ଏକ-ତୃତୀୟାଂଶ ମାମଲା ଏହି ପିଲାମାନଙ୍କଠାରେ ଦେଖାଯାଏ, ଯାହା ପ୍ରାୟତଃ ମାରାତ୍ମକ ଡାଇରିଆର ରୂପ ନେଇଥାଏ।
୨. ରାସାୟନିକ ପ୍ରଦୂଷଣ ସବୁଠାରୁ ଘାତକ
ରିପୋର୍ଟ ଅନୁଯାୟୀ, ଅଧିକାଂଶ ଲୋକ ବ୍ୟାକ୍ଟେରିଆ ବା ଭାଇରସ୍ ଯୋଗୁଁ ଅସୁସ୍ଥ ହୋଇଥାନ୍ତି, କିନ୍ତୁ ମୃତ୍ୟୁ ପାଇଁ ରାସାୟନିକ ପ୍ରଦୂଷଣ ସବୁଠାରୁ ବଡ଼ କାରଣ। ୨୦୨୧ର ମୋଟ ମୃତ୍ୟୁ ମଧ୍ୟରୁ ପ୍ରାୟ ୭୩% ମୃତ୍ୟୁ କେମିକାଲ୍ସ ଯୋଗୁଁ ହୋଇଥିଲା। ଏଥିମଧ୍ୟରୁ ଅଜୈବିକ ଆର୍ସେନିକ୍ (୪୨%) ଏବଂ ସୀସା ବା ଲେଡ୍ (୩୧%) ସବୁଠାରୁ ବିପଜ୍ଜନକ ସାବ୍ୟସ୍ତ ହୋଇଛନ୍ତି, ଯାହା କ୍ୟାନ୍ସର ଓ ହୃଦ୍ରୋଗ ଭଳି ସମସ୍ୟା ସୃଷ୍ଟି କରେ। ଏହାଛଡ଼ା ସୀସା ଓ ମିଥାଇଲ୍ ମର୍କୁରୀ ପିଲାଙ୍କ ମାନସିକ ବିକାଶକୁ ବାଧାପ୍ରାପ୍ତ କରିଥାଏ।
୩. ଆଞ୍ଚଳିକ ଓ ଅର୍ଥନୈତିକ ପ୍ରଭାବ
ବିଶ୍ୱର ମୋଟ ଖାଦ୍ୟ ଜନିତ ରୋଗର ୫% ଏବଂ ମୃତ୍ୟୁର ୬୦% କେବଳ ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ଘଟୁଛି। ଏହି ସ୍ୱାସ୍ଥ୍ୟ ସଙ୍କଟ ଯୋଗୁଁ ଲୋକମାନେ କାର୍ଯ୍ୟକ୍ଷମ ନହେବାରୁ ବିଶ୍ୱ ଅର୍ଥନୀତିକୁ ପ୍ରାୟ ୩୧୦ ବିଲିୟନ ଆମେରିକୀୟ ଡଲାରର ଉତ୍ପାଦନ ଶକ୍ତି ହରାଇବାକୁ ପଡ଼ିଛି।