ଭାରତର ପ୍ରଥମ ସ୍ୱଦେଶୀ TARA ଗ୍ଲାଇଡ୍ ଅସ୍ତ୍ରର ସଫଳ ପରୀକ୍ଷଣ

ଭାରତର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ରର ସଫଳ ପରୀକ୍ଷଣ । ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ-DRDO ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ଓଡ଼ିଶା ଉପକୂଳରେ TACTICAL ADVANCED RANGE AUGMENTATION -TARA ନାମକ ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ଉଡ଼ାଣ ପରୀକ୍ଷଣ କରିଛନ୍ତି । ଏହି ପରୀକ୍ଷଣ ଭାରତର ଆତ୍ମନିର୍ଭରଶୀଳ ପ୍ରତିରକ୍ଷା କ୍ଷମତାକୁ ଏକ ନୂଆ ଶିଖରକୁ ନେଇଯାଇଛି । ଅପରେସନ ସିନ୍ଦୂରକୁ ବର୍ଷେ ପୂରଣ ଅବସରରେ ଏହାକୁ ପରୀକ୍ଷଣ କରାଯାଇଛି ।

TARA ହେଉଛି ଦେଶର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ପ୍ରଣାଳୀ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରମ୍ପରିକ ଏବଂ ଅଣ-ନିର୍ଦ୍ଦେଶିତ ବୋମାଗୁଡ଼ିକୁ ସଠିକ୍ ଭାବେ ଲକ୍ଷ୍ୟଭେଦ କରିପାରୁଥିବା ଅସ୍ତ୍ରରେ ପରିଣତ କରିବା । ଏହା ଏକ ‘ମଡ୍ୟୁଲାର୍ ରେଞ୍ଜ୍ ଏକ୍ସଟେନସନ୍ କିଟ୍’ ଭାବରେ କାମ କରେ । ଯାହାକୁ ସାଧାରଣ ବୋମାରେ ଲଗାଗଲେ ତାହା ଏକ ସ୍ମାର୍ଟ ଅସ୍ତ୍ରରେ ପରିଣତ ହେବ । ଏହା ସାଧାରଣ ବୋମାର ଲକ୍ଷ୍ୟଭେଦ କ୍ଷମତାକୁ ବହୁଗୁଣିତ କରିଥାଏ । ଉଚ୍ଚ ସଠିକତା ସହ ଶତ୍ରୁର ଭୂତଳ ବା ଅନ୍ୟାନ୍ୟ ଲକ୍ଷ୍ୟକୁ ଧ୍ୱଂସ କରିବାରେ ଏହା ସକ୍ଷମ ।

ପାଞ୍ଚ କିଲୋମିଟର ଉଚ୍ଚତାରୁ ଛଡ଼ାଗଲେ ଏହା ପ୍ରାୟ ୧୫୦-୧୮୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିପାରେ । ଏହା ହାଇଦ୍ରାବାଦ ସ୍ଥିତ Research Centre Imarat (RCI) ଏବଂ ଅନ୍ୟାନ୍ୟ DRDO ଲାବୋରେଟୋରୀ ଦ୍ୱାରା ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ । ମହଙ୍ଗା ମିସାଇଲ୍ ବଦଳରେ ସାଧାରଣ ବୋମାକୁ TARA କିଟ୍ ଜରିଆରେ ସ୍ମାର୍ଟ ଅସ୍ତ୍ରରେ ପରିଣତ କରିବା ଦ୍ୱାରା ସାମରିକ ଖର୍ଚ୍ଚ ବହୁଳ ଭାବେ ହ୍ରାସ ପାଇବ । ଏହା ଜାଗୁଆର, ମିରାଜ୍-୨୦୦୦, ସୁଖୋଇ-୩୦ ଏବଂ ତେଜସ ଭଳି ଯୁଦ୍ଧବିମାନରେ ବ୍ୟବହାର କରାଯାଇପାରିବ । ଏହା ଶତ୍ରୁର ରାଡାର ବଳୟ ବାହାରେ ରହି ଆକ୍ରମଣ କରିବାରେ ସାହାଯ୍ୟ କରିବ ।

ତାରାର ସଫଳ ପରୀକ୍ଷଣ ପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ବାୟୁସେନା, ଡିସିପିପିକୁ ଶୁଭେଚ୍ଛା ଜଣାଇଛନ୍ତି । ଡିଆରଡିଓର ସଚିବ ଏବଂ ଅଧ୍ୟକ୍ଷ ଡ. ସମୀର ବି କାମତ ସଫଳ ଉଡ଼ାଣ ପରୀକ୍ଷାରେ ସାମିଲ ହୋଇଥିବା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a comment