ବାୟୁସେନାର F-16 ଫାଇଟର ଜେଟ୍ କ୍ରାସ୍,ପାଇଲଟ ସୁରକ୍ଷିତ
ଆମେରିକାର ମିଶିଗାନରେ ଟ୍ରେନିଂ ସମୟରେ ଆମେରିକୀୟ ବାୟୁସେନାର F-16 ଫାଇଟର ଜେଟ୍ କ୍ରାସ୍ ହୋଇଛି । ଗୁରୁବାର ଗ୍ରାଣ୍ଡ ଟ୍ରାଭର୍ସ କାଉଣ୍ଟିର ଏକ ଗ୍ରାମାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଜଣେ ପାଇଲଟ୍ ଆଶଙ୍କା କରିଛନ୍ତି ଯେ, ବିମାନଟି ହୁଏତ କୌଣସି ପକ୍ଷୀ ସହ ଧକ୍କା ହୋଇ କ୍ରାଶ୍ ହୋଇଥାଇପାରେ । ବିମାନରେ ଥିବା ପାଇଲଟ୍ ସମୟ ପୂର୍ବରୁ ନିଜକୁ ଇଜେକ୍ଟ କରିଥିଲେ ଏବଂ ପାରାଶୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ତଳକୁ ଅବତରଣ କରିଥିଲେ।
ଦୁର୍ଘଟଣା ପରେ ପାଇଲଟ୍ଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଟେକ୍ସାସ ନ୍ୟାସନାଲ ଗାର୍ଡର ୧୪୯ତମ ଫାଇଟର ୱିଙ୍ଗ୍ର ପ୍ରବକ୍ତା ସାର୍ଜେଣ୍ଟ ଡେରେକ୍ ଗୁଟିରେଜ୍ ପାଇଲଟ୍ଙ୍କ ପରିଚୟ ଏବଂ ତାଙ୍କ ଆହତ ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଛନ୍ତି । ତେବେ ଗ୍ରାଣ୍ଡ ଟ୍ରାଭର୍ସ କାଉଣ୍ଟିର ଶେରିଫ୍ ମାଇକେଲ୍ ଡି. ଶିଆଙ୍କ କହିବା ଅନୁଯାୟୀ, ପାଇଲଟ୍ ହସ୍ପିଟାଲରେ ସଚେତନ ଥିଲେ ଏବଂ ପୁଲିସ ସହ କଥା ହେଉଥିଲେ। ଏହି F-16 ଆଲ୍ପେନାରେ ଥିବା ନ୍ୟାସନାଲ ଗାର୍ଡ ବେସ୍ରେ ଚାଲିଥିବା ଟ୍ରେନିଂରେ ସାମିଲ ଥିଲା । ଏହି ସ୍ଥାନ ଡେଟ୍ରଏଟ୍ଠାରୁ ପ୍ରାୟ ୩୦୫ କିଲୋମିଟର ଉତ୍ତରରେ ଅବସ୍ଥିତ । ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ ଅନୁଯାୟୀ, ଅନ୍ୟ ଜଣେ ପାଇଲଟ୍ ଆଶଙ୍କା କରିଥିଲେ ଯେ ତାଙ୍କ ସହ ଉଡ଼ୁଥିବା ପାଇଲଟ୍ଙ୍କ ବିମାନ ସହ କୌଣସି ପକ୍ଷୀ ଧକ୍କା ହୋଇଥାଇପାରେ । ଦ୍ୱିତୀୟ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ କହିଥିଲେ ଯେ, ତାଙ୍କ ସାଥୀ ବିମାନଟି ସମ୍ଭବତଃ ପକ୍ଷୀ ସହ ଧକ୍କା ହୋଇଛି। କଣ୍ଟ୍ରୋଲର୍ ତାଙ୍କୁ ଫ୍ରାଙ୍କଫର୍ଟ କିମ୍ବା ଟ୍ରାଭର୍ସ ସିଟି ବିମାନବନ୍ଦର ଦିଗରେ ଯିବା ପାଇଁ ମାର୍ଗ ଦେଖାଇବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେତେବେଳକୁ ବିମାନଟି କ୍ରାଶ୍ ହୋଇସାରିଥିଲା । ତେବେ ସେନାର ପ୍ରବକ୍ତା କହିଛନ୍ତି ଯେ, ପକ୍ଷୀ ସହ ଧକ୍କା ହେବା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ଏବଂ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି । ଦୁର୍ଘଟଣାସ୍ଥଳ ନିକଟରେ ଥିବା ଲୋକମାନେ ଜୋରଦାର ବିସ୍ଫୋରଣର ଶବ୍ଦ, କଳା ଧୂଆଁ ଏବଂ ନିଆଁର ଗୋଲା ଦେଖିଥିବା କହିଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ ବିମାନଟି ଖୁବ୍ କମ୍ ଉଚ୍ଚତାରେ ଏବଂ ଧୀର ଗତିରେ ଉଡ଼ୁଥିବା ଦେଖାଯାଇଥିଲା।
ଦୁର୍ଘଟଣା ପରେ ବିମାନରୁ କେମିକାଲ୍ ଲିକ୍ ହେଉଥିବା ଜଣାପଡ଼ିଥିଲା । ପ୍ରଥମେ ଲୋକମାନଙ୍କୁ ଘର ଭିତରେ ରହିବାକୁ କୁହାଯାଇଥିଲା । ପରେ ମିଶିଗାନ ପୁଲିସ ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ଏକ ମାଇଲ୍ ପରିଧିରେ ରହୁଥିବା ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । କେଉଁ କେମିକାଲ୍ ଲିକ୍ ହୋଇଥିଲା, ଅଧିକାରୀମାନେ ତାହା ସ୍ପଷ୍ଟ କରିନାହାନ୍ତି। ତେବେ F-16 ବିମାନର ଜରୁରୀକାଳୀନ ପାୱାର ସିଷ୍ଟମ୍ରେ ହାଇଡ୍ରାଜିନ୍ ନାମକ ଏକ ବିଷାକ୍ତ କେମିକାଲ୍ ବ୍ୟବହାର ହୋଇଥାଏ । ଆମେରିକୀୟ ବାୟୁସେନା ୧୯୭୯ ମସିହାରୁ F-16 ବିମାନ ଉଡ଼ାଇବା ଆରମ୍ଭ କରିଥିଲା। ଗତ ଡିସେମ୍ବରରେ ମଧ୍ୟ ବାୟୁସେନାର ଥଣ୍ଡରବର୍ଡସ୍ ଦଳର ଏକ F-16 କାଲିଫର୍ଣ୍ଣିଆରେ କ୍ରାଶ୍ ହୋଇଥିଲା । ସେହି ଦୁର୍ଘଟଣାରେ ମଧ୍ୟ ପାଇଲଟ୍ ସୁରକ୍ଷିତ ଭାବେ ବିମାନରୁ ବାହାରି ଆସିଥିଲେ ।