ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଛତିଶା ନିଯୋଗ ଏବଂ ନୀତି ସବ୍ କମିଟି ବୈଠକରେ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ନେଇ ପରିଚାଳନା କମିଟିକୁ ଅବଗତ କରାଯାଇଛି । ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରଖାଯିବ ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ ।
ଭିତର ରତ୍ନଭଣ୍ଡାରରେ ଥିବା ପୁରୁଣା ଆଲମିରା ଗୁଡ଼ିକ ବାହାରକୁ ଆସିବ । ମୂଲ୍ୟବାନ ସାମଗ୍ରୀ ଓ ରତ୍ନ ଅଳଙ୍କାର ବହୁତ ବଡ଼ ଥିବାରୁ ଭିତର ରତ୍ନଭଣ୍ଡାର ଭିତରେ ଗଣତି କରିବା ସମ୍ଭବ ନୁହେଁ । ଖଟ ଶେଯ ଘରେ ଏହାର ଗଣତି କାର୍ଯ୍ୟ କରାଯିବ । ନରେନ୍ଦ୍ର ପୁଷ୍କରିଣୀରେ ଏକ ନୂତନ ଭାବେ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ହେବ । ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି । ଇସ୍କନ ଏବଂ ଅନ୍ୟ ସଂସ୍ଥା ଅଦିନିଆ ରଥଯାତ୍ରା ଓ ଯାନି ଯାତ୍ରା ଆୟୋଜନ ଉଚିତ ନୁହେଁ । ଏହାକୁ ନେଇ ପରିଚାଳନା କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କୁ ଜଣାଇବା ପରେ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ । ଅଦିନିଆ ରଥଯାତ୍ରା ଓ ଯାନିଯାତ୍ରା ବନ୍ଦ କରିବା ପାଇଁ ନିଳାଦ୍ରୀ ବିଜେ ପରେ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ।ଜମିଜମା ସଂପର୍କିତ ଆଲୋଚନା ମଧ୍ୟ ହୋଇଛି। ଶ୍ରୀମନ୍ଦିର ଆଇନ ସଂଶୋଧନ ନେଇ ପରିଚାଳନା କମିଟି ସରକାରଙ୍କୁ ଚିଠା ଦେଇଛନ୍ତି। ଶ୍ରୀମନ୍ଦିର ସେବକ ମାନଙ୍କ ପାଇଁ ଗୁରୁକୁଳ ପ୍ରକଳ୍ପକୁ ଓବିସିସି ଠିକ୍ ସମୟରେ ଶେଷ ନକଲେ ଅନ୍ୟ ସଂସ୍ଥାକୁ ଦିଆଯିବ। ବାହାର ରତ୍ନଭଣ୍ଡାରରେ ୬ଟି ତାଲା ପଡ଼ିଥାଏ। ଭଣ୍ଡାର ମେକାପ ଯେଉଁ ତାଲା ବ୍ୟବହାର କରୁଛନ୍ତି ତାହା ପୁରୁଣା ହୋଇଯାଇଛି। ନୂତନ ତାଲା ପାଇଁ ପରିଚାଳନା କମିଟି ଅନୁମତି ଦେଇଛି। ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆଗାମୀ ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଶା ରଖିଛି ପରିଚାଳନା କମିଟି।