ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ,ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ସଜେଇ ହେଉଛି ନରେନ୍ଦ୍ର ପୋଖରୀ । ସଜେଇ ହେଉଛି ନନ୍ଦା, ଭଦ୍ରା ଚାପ। ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କର ଦୁଇ ଦୁଇଟି ଅନନ୍ୟ ପରମ୍ପରା ଗୋଟିଏ ଦିନରେ ହେବ । ମହାପ୍ରଭୁଙ୍କ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଏବଂ ଅନ୍ୟଟି ରଥ ନିର୍ମାଣକାରୀଙ୍କ ଦ୍ଵାରା ରଥ ନିର୍ମାଣ ଅନୁକୂଳ ହେବ। ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର ଏବେଠାରୁ ଚଳ ଚଞ୍ଚଳ ।ଭୋଇ ସେବକ ଓ ମହାରଣା ସେବକ ମାନେ ପ୍ରସ୍ତୁତ କରୁଛନ୍ତି ଚାପ ।ବର୍ଷ ତମାମ ପାଣି ରେ ବୁଡି ରହୁଥିବା ଡଙ୍ଗା କୁ ଉଦ୍ଧାର କରାଯାଇ ସାରିଛି। ଏବେ ସେଥିରେ ମରାମତି ଆରମ୍ଭ ହୋଇଛି ।୧୦ ମହାରଣା ଓ ୧୦ ଭୋଇ ସେବାୟତ କାମରେ ଲାଗି ପଡିଛନ୍ତି। ୪ ଡଙ୍ଗାରେ ଧାରଣା ଲାଗିବା ସହ ପଟା ବାଡ଼ିଆ କାମ ହୋଇ ମୁଣ୍ଡୁଳି ଉଠୁଛି।ଶେଷ ପର୍ୟ୍ୟାୟରେ ପହଁଚିଲାଣି କାର୍ୟ୍ୟ।କେବଳ ଆସନ୍ତାକାଲି ହଂସ ଲାଗିବା ପରେ ଚାପ ଖେଳିବେ ମଦନ ମୋହନ , କୃଷ୍ଣ ବଳରାମ, ପଞ୍ଚୁ ପାଣ୍ଡବ ।ଦୁଇ ଟି ଡଙ୍ଗା କୁ ନେଇ ନନ୍ଦା ,ଆଉ ଦୁଇଟି କୁ ନେଇ ପ୍ରସ୍ତୁତ ହେବ ଭଦ୍ରା ଚାପ।ଗୋଟିଏ ଡଙ୍ଗା ବୈଜନ୍ତରି ଚାପ କୁ ବାଟ କଢ଼େଇ ନେବ ।ଏନେଇ ଚିତ୍ରକାର ସେବକ ମାନେ ମଧ୍ୟ ବେଶ ତତ୍ପର ।ଚନ୍ଦନ ମଣ୍ଡପ,ପାଣି ଚାଳି,ପଞ୍ଚୁ ପାଣ୍ଡବ ମନ୍ଦିର,ରାମକୃଷ୍ଣ ମନ୍ଦିର,ଜଗମୋହନ ଆଦି ରଙ୍ଗ କରାଯାଇ କେବଳ ମହାପ୍ରଭୁଙ୍କ ଅପେକ୍ଷା ରହିଛି।