ହର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଗୁଳିମାଡ଼,ସାମ୍ନାକୁ ଆସିଲା ଅଡ଼ିଓ ରେକର୍ଡିଂ

ହର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଇରାନୀ ନୌସେନାରେ ଗୁଳିମାଡ଼କୁ ନେଇ ଏକ ନୂଆ ଏବଂ ବିବାଦୀୟ ମୋଡ଼ ନେଇଛି । ଆକ୍ରମଣ ହୋଇଥିବା ଟ୍ୟାଙ୍କର ସାମମାର ହେରାଲ୍ଡରୁ ଏକ ଅଡ଼ିଓ ରେକର୍ଡିଂ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଅଧିକାରୀ ଇରାନୀ ନୌସେନାର ପ୍ରତିଶ୍ରୁତି ଉଲ୍ଲଂଘନ ଉପରେ ପ୍ରଶ୍ନ ଉଠାଇଥିବା ଶୁଣିବାକୁ ମିଳିଛି ।

ଫାୟାରିଂ ସମୟରେ ଘଟିଥିବା ବିଶୃଙ୍ଖଳାକୁ କଏଦ କରି ଗୋଟିଏ ଟ୍ୟାଙ୍କର୍ରୁ ଏକ ବାର୍ତ୍ତା ଆସିଛି । ଅଶୋଧିତ ତୈଳ ଟ୍ୟାଙ୍କର୍ “ସରମାର ହେରାଲ୍ଡ”ରେ ଥିବା ଜଣେ କ୍ରୁ ସଦସ୍ୟ ଇରାନୀ ନୌସେନା ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାର ଶୁଣିବାକୁ ମିଳୁଛି । ପ୍ରାୟ ୩୦ ସେକେଣ୍ଡର ଏହି ଅଡିଓକୁ ଜାହାଜ ଗତିବିଧି ଉପରେ ନଜର ରଖୁଥିବା ଏକ ସାମୁଦ୍ରିକ ଗୁପ୍ତଚର ସଂସ୍ଥା ଟ୍ୟାଙ୍କର୍ ଟ୍ରାକର୍ ଦ୍ୱାରା ସେୟାର କରାଯାଇଛି ।

ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଥିବା ବେଳେ ଭାରତର ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଶନିବାର ଆକ୍ରମଣ ହୋଇଥିଲା । ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି) ଦୁଇଟି ଗନବୋଟ ଯୋଗେ ଭାରତୀୟ ଟ୍ୟାଙ୍କର ନିକଟକୁ ଆସି ଗୁଳିମାଡ଼ କରିଛି । ଏହାପରେ ଟ୍ୟାଙ୍କର ଦ୍ୱୟ ହର୍ମୁଜ ଅତିକ୍ରମ କରି ନ ପାରି ପୁଣି ଫେରିଯାଇଛି । ଏହି ଘଟଣାରେ କୌଣସି ଭାରତୀୟ କ୍ରୁ ସଦସ୍ୟ ଆହତ ହୋଇଥିବାର ସୂଚନା ନାହିଁ।

ଘଟଣାରେ ଭାରତ ପକ୍ଷରୁ ଇରାନକୁ ସମନ ଜାରି କରାଯାଇଛି । ଭାରତୀୟ ନୌସେନା ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ସଂଗ୍ରହ କରୁଛି । ହର୍ମୁଜ ପ୍ରଣାଳୀରେ ଭାରତର କୌଣସି ଯୁଦ୍ଧପୋତ ନାହିଁ । କିନ୍ତୁ ଓମାନ ଉପସାଗରରେ ଭାରତୀୟ ଯୁଦ୍ଧପୋତ ମୁତୟନ ହୋଇ ରହିଛି । ଗୋଟିଏ ସପ୍ତାହ ପୂର୍ବରୁ, ଭାରତରେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଏକ ସାକ୍ଷାତକାରରେ କହିଥିଲେ ଯେ, ଭାରତୀୟ ଜାହାଜ ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲା ରହିବ । ଇରାନ ସରକାର ଏବଂ ଭାରତ ଏହି କ୍ଷେତ୍ରରେ ଭଲ ସମ୍ପର୍କ ବଜାୟ ରଖିଛନ୍ତି । ତଥାପି, ଇରାନ ଏବେ ଏକ ଭାରତୀୟ ପତାକା ଜାହାଜ ଉପରେ ଗୁଳି ଚଳାଇଛି ।

Leave a comment