ଶେଷ ପର୍ଯ୍ୟାୟରେ ତିନି ରଥର ନିର୍ମାଣ,ଆସନ୍ତା କାଲି ନବଯୌବନ ଦର୍ଶନ
ରଥଯାତ୍ରା ଆଉ ମାତ୍ର ୩ ଦିନ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ପୁରୀ । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶେଷ ପର୍ଯ୍ୟାୟରେ ତିନି ରଥର ନିର୍ମାଣ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ପାଇଁ ଆଉ ମାତ୍ର ୩ ଦିନ ବାକି ଅଛି । ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାଘୋଷଯାତ୍ରା ପାଇଁ ପୁରୀ ସହର ଏବେ ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ହୋଇଉଠିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ସୁରକ୍ଷା ବାହିନୀ ଦିନରାତି ଏକ କରି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।
ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନର ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମହାରଣା, ଭୋଇ, ରୂପକାର ଓ ଚିତ୍ରକାର ସେବାୟତମାନେ ରଥଗୁଡ଼ିକରେ ରଙ୍ଗ କରିବା ସହ ଠେକେରା ବାଡ଼, କାଠ ଘୋଡ଼ା, ସାରଥୀ, କଳସ ଏବଂ ଓଲଟ ଶୁଆ ଲଗାଇବା କାମରେ ବ୍ୟସ୍ତ ଅଛନ୍ତି । ରଥଗୁଡ଼ିକରେ ପାର୍ଶ୍ୱ ଦେବଦେବୀଙ୍କୁ ସ୍ଥାପନ କରାଯାଇସାରିଛି । ଚଳିତ ବର୍ଷ ପ୍ରାୟ ୮ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି । ଏଥିପାଇଁ ଓଡ଼ିଶା ସରକାର ଏକ ବ୍ୟାପକ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ।
ଓଡ଼ିଶା ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ପ୍ରାୟ ୧୨,୦୦୦ ସୁରକ୍ଷା କର୍ମୀ ମୁତୟନ ହେବେ। । ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ କଡ଼ା ନଜର ରଖାଯିବ। ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ପାଇଁ ୩୦ଟି ଇଭାକ୍ୟୁଏସନ କରିଡର, ସିସିଟିଭି କ୍ୟାମେରା ଏବଂ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ରୁଟ୍ କରାଯାଇଛି । ପିଇବା ପାଣି, ସ୍ୱାସ୍ଥ୍ୟସେବା, ବିଦ୍ୟୁତ ଯୋଗାଣ ଏବଂ ପାର୍କିଂ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଯାଇଛି । ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ ଭାବେ ଚାଲିଛି । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଯେଉଁଠି ଦୀର୍ଘ ଦିନର ଅଣସର ପରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ।