ୱାକ୍‌ ଟୁ ୱାର୍କ’ ଢାଞ୍ଚାରେ ତିଆାରି ହେବ ଡ଼ମଣା ଆଇଟି ପାର୍କ

ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଆସୁଥିବା ନୂଆ ନୂଆ ସଂସ୍ଥାଗୁଡ଼ିକର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର  ଡ଼ମଣା ରେ ଏକ ନୂଆ ଆଇଟି ପାର୍କ ସ୍ଥାପନ କରିବାକୁ ଯାଉଛନ୍ତି। ରାଜ୍ୟରେ ପୂର୍ବରୁ ଥିବା ଇନ୍‌ଫୋସିଟି ଓ ଇନ୍‌ଫୋଭ୍ୟାଲିର ମଝି ଅଞ୍ଚଳରେ ଏହି ପାର୍କକୁ ସ୍ଥାପନ କରାଯାଉଛି। ପ୍ରାୟ ୨୫ ଏକର ଜମିରେ ନିର୍ମାଣ କରାଯାଉଥିବା ଏହି ନୂଆ ଆଇଟି ପାର୍କରେ ସୂଚନା ପ୍ରଯୁକ୍ତି, ତତ୍‌ସଂକ୍ରାନ୍ତ ସଂସ୍ଥା, ସେମିକଣ୍ଡକ୍ଟର ଓ ଏଆଇ କମ୍ପାନିଗୁଡ଼ିକୁ ସ୍ଥାନ ପ୍ରଦାନ କରାଯିବ। ଏହା ବ୍ୟତୀତ ଗ୍ଲୋବାଲ କାପାବିଲିଟି ସେଣ୍ଟର (ଜିସିସି) ଓ ଅନ୍ୟାନ୍ୟ ପ୍ରଯୁକ୍ତି ଆଧାରିତ କମ୍ପାନିଗୁଡ଼ିକ ମଧ୍ୟ ଏଠାରେ ସ୍ଥାନ ‌ଯୋଗାଇ ଦିଆଯିବ।

ପ୍ରସ୍ତାବିତ ଆଇଟି ପାର୍କ ପାଇଁ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୨୫ ଏକର ଜମି ମଗାଯାଇଥିଲା। ପୂର୍ବରୁ ସେହି ଜମି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନାମରେ ଥିଲା। ବହୁଦିନ ପର୍ଯ୍ୟନ୍ତ ଅବ୍ୟବହୃତ ରଖିଥିବା ଉକ୍ତ ଜମିରେ ପାର୍କ ନିର୍ମାଣ କରିବାକୁ ଆଇଟି ବିଭାଗ ଆଗ୍ରହ ପ୍ରକାଶ କରିଥିଲା। ବର୍ତ୍ତମାନ ଉକ୍ତ ଜମି ସାଧାରଣ ପ୍ରଶାସନ ଓ ପେନ୍‌ସନ୍‌ ଅଭିଯୋଗ ବିଭାଗ ଅଧୀନରେ ରହିଛି। ଇନ୍‌ଫୋସିଟିଠାରୁ ତିନି କିଲୋମିଟର ଦୂରରେ ଥିବା ଏହି ସ୍ଥାନରେ ପାର୍କ ବିକାଶ କରିବାକୁ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌) ପକ୍ଷରୁ ଡେଭଲପରମାନଙ୍କଠାରୁ ଆଗ୍ରହପତ୍ର (ଇଓଆଇ) ଆହ୍ବାନ କରାଯାଇଛି। କାର୍ଯ୍ୟବରାଦ ପାଇବାକୁ ଥିବା ସଂସ୍ଥା ପାର୍କକୁ ବିକାଶ, ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ।

ୱାକ୍‌ ଟୁ ୱାର୍କ’ ଆଇଟି ପାର୍କ ଭାବେ ଏହାକୁ ବିକାଶ କରାଯିବ। ଅର୍ଥାତ୍‌ କାର୍ଯ୍ୟକ୍ଷେତ୍ରକୁ ‌କର୍ମଚାରୀମାନେ ଚାଲିକରି ଯାଇପାରିବେ। ପ୍ରକଳ୍ପରେ ବାଣିଜ୍ୟିକ, ଆବାସିକ ଘର ସହ ଚିତ୍ତବିନୋଦନ ପାଇଁ ସୁବିଧା ରହିବ। ୪୫ ଲକ୍ଷ ବର୍ଗଫୁଟରେ ନିର୍ମାଣ କରାଯାଉଥିବା ଭିତ୍ତିଭୂମିର ୭୦ ପ୍ରତିଶତ ସ୍ଥାନକୁ ଆଇଟି ଓ ତତ୍‌ସଂକ୍ରାନ୍ତ ସଂସ୍ଥାଗୁଡ଼ିକୁ ପ୍ରଦାନ କରାଯିବ। ପ୍ରସ୍ତାବିତ ଆଇଟି ପାର୍କରେ ଆଧୁନିକ ଅଫିସ୍‌ ଟାୱାର, ଇନ୍‌କ୍ୟୁବେସନ ଓ କୋ-ୱାର୍କିଂ ସ୍ଥାନ, ଖୁଚୁରା ଓ ଆତିଥେୟତା ସୁବିଧାସୁଯୋଗ, ସର୍ଭିସ୍‌ ଆପାର୍ଟମେଣ୍ଟ୍‌ ଓ ଆବାସିକ ଗୃହ ଆଦି ନିର୍ମାଣ କରିବା ଯୋଜନା ରହିଛି। ଏହା ବ୍ୟତୀତ ସେଥିରେ ଅକ୍ଷୟ ଶକ୍ତି, ଜଳ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଓ ପଥଚାରୀଙ୍କ ପାଇଁ ଉପଯୋଗୀ ସୁବିଧାସୁଯୋଗ ରହିବ।

ଉଲ୍ଲେଖଯୋଗ୍ୟ, ଇନ‌ଫୋସିଟିରେ ଟିସିଏସ୍‌, ମାଇଣ୍ଡ୍‌ଟ୍ରି, ଇନ୍‌ଫୋସିସ୍‌ ଭଳି ପ୍ରମୁଖ ଆଇଟି କମ୍ପାନି ରହିଛନ୍ତି। ଇନ୍‌ଫୋଭ୍ୟାଲିର କିଛି ଭାଗକୁ ଅଣଆଇଟି କମ୍ପାନୀ ଗୁଡ଼ିକ ଲାଗି ଆବଣ୍ଟନ କରାଯାଇଛି। ନୂଆ ଆଇଟି ଟାୱାର ବିକାଶ ହେଲେ ତାହା ବଡ଼ ବଡ଼ ଆଇଟି କମ୍ପାନିଙ୍କ ଆବଶ୍ୟକତା ପୂରଣ କରିପାରିବ। ରାଜ୍ୟରେ ଡେଭଲପମେଣ୍ଟ ସେଣ୍ଟର ସ୍ଥାପନ ପାଇଁ ବାହାର କମ୍ପାନି ଆଗ୍ରହ ପ୍ରକାଶ କରିବେ।

Leave a comment