କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲା: ସିଆ ଗୋୟଲଙ୍କ ଭାଇ ସାହିଲ ଗୋୟଲଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରିଛି ପୋଲିସ

୧୮ ଜୁନରେ ମହାରାଷ୍ଟ୍ରର ପୁଣେର ଲୋହାଗଡ଼ କିଲ୍ଲାରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କେତନଙ୍କ ମୃତ୍ୟୁ କାହିଁକି ହେଲା ଏବଂ ସିଆ ଯଦି କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲେ, ତେବେ ସେ ନିଜ ପରିବାରକୁ କାହିଁକି କହିଲେ ନାହିଁ,ତାର ରହସ୍ୟ ପୁଣେ ପୋଲିସ ଖୋଜୁଛି । ଏହି ମାମଲାରେ ପୋଲିସ ସିଆ ଗୋୟଲଙ୍କ ଭାଇ ସାହିଲ ଗୋୟଲଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରିଛି ।

ପଚରାଉଚରା ସମୟରେ ସାହିଲ ପୋଲିସକୁ କହିଛନ୍ତି ଯେ, ସିଆ କେବେ ମଧ୍ୟ ଘରେ କହିନଥିଲେ ଯେ ସେ ଚେତନଙ୍କୁ ପସନ୍ଦ କରନ୍ତି କିମ୍ବା କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲେ । ଯଦି ସିଆ ଏହା ପୂର୍ବରୁ କହିଥାନ୍ତେ, ତେବେ ପରିବାର ଏହି ବିବାହ କରାଇ ନଥାନ୍ତା । ସିଆ ଏଭଳି ପଦକ୍ଷେପ କାହିଁକି ନେଲେ ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।

ସୂଚନା ଅନୁସାରେ, କେତନଙ୍କୁ ହତ୍ୟା କରିବା ପରେ ଦୁହେଁ ପରସ୍ପରକୁ କିଛି ଦିନ ଯାଏଁ ଦେଖା କରିବେ ନାହିଁ ବୋଲି ଯୋଜନା କରିଥିଲେ । ସେମାନେ ନିଜ ମୋବାଇଲରୁ ସମସ୍ତ ଚାଟ୍ ମଧ୍ୟ ଡିଲିଟ୍ କରିଦେଇଥିଲେ । ଯାହାଦ୍ୱାରା ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ପ୍ରମାଣ ମିଳିବ ନାହିଁ । ପୋଲିସ କବଳରୁ ବଞ୍ଚିବା ପାଇଁ ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ । କିନ୍ତୁ ଏବେ ପୋଲିସ ଦୁହିଁଙ୍କ ମୋବାଇଲକୁ ଫୋରେନସିକ ଲାବକୁ ପଠାଇଛି । ଫଳରେ ଡିଲିଟ୍ ହୋଇଥିବା ଚାଟ୍‌ଗୁଡ଼ିକୁ ପୁଣି ଫେରାଇ ଦେଖାଯାଇପାରିବ ।

ଅନ୍ୟପଟେ, ଏହି ମାମଲାରେ ସିଆଙ୍କ ଓକିଲ ଆଶୁତୋଷ ଶ୍ରୀବାସ୍ତବ କହିଛନ୍ତି ଯେ, “ଏପର୍ଯ୍ୟନ୍ତ ଏମିତି କୌଣସି ପ୍ରତ୍ୟେକ୍ଷଦର୍ଶୀ ସାମ୍ନାକୁ ଆସିନାହାଁନ୍ତି, ଯିଏ ମୋର ମହକିଲଙ୍କ ଏହି ଅପରାଧର ପ୍ରମାଣ କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ, ୧୮ ଜୁନରେ ପୁଣେର ଲୋହାଗଡ଼ କିଲ୍ଲାରେ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ପ୍ରଥମେ ଦୁର୍ଘଟଣା ବୋଲି ବିବେଚନା କରାଯାଉଥିଲା । କାରଣ ସିଆ ପୋଲିସ ଓ ପରିବାରକୁ କହିଥିଲେ ଯେ, ଟ୍ରେକିଂ ସମୟରେ କେତନଙ୍କ ପାଦ ଖସିଯିବାରୁ ସେ ଗଭୀର ଖାଇକୁ ଖସିପଡ଼ିଥିଲେ । କିନ୍ତୁ ତଦନ୍ତ ଆଗକୁ ବଢ଼ିବା ଯୋଗୁଁ ଏହି ଦୁର୍ଘଟଣାର ପର୍ଦ୍ଦାଫାସ ହେବାରେ ଲାଗିଛି  ଏବଂ ବର୍ତ୍ତମାନ ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ଭାବେ ଦେଖାଯାଉଛି । ହେଲେ କେତନଙ୍କୁ ପ୍ରକୃତରେ କିଏ ଖାଇକୁ ଠେଲିଥିଲା ଏବଂ ସିଆ ଯଦି ବିବାହ କରିବାକୁ ଚାହୁଁନଥିଲେ, ତେବେ ସେ ପରିବାରକୁ କହିବା ପରିବର୍ତ୍ତେ ଏଭଳି ପଦକ୍ଷେପ କାହିଁକି ନେଲେ ତଦନ୍ତରୁ ଜଣାପଡିବ । ଏହି ମାମଲା ଏବେ ତଦନ୍ତାଧୀନ ରହିଛି  ଏବଂ ପୋଲିସର ଅନ୍ତିମ ତଦନ୍ତ ରିପୋର୍ଟ ପରେ ହିଁ ପ୍ରକୃତ ସତ୍ୟ ସ୍ପଷ୍ଟ ହେବ ।

Leave a comment