ଆଜି ଠାରୁ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ  ରାଜିନାମା ଆଲେଚନା

ଆଜି ଠାରୁ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ  ରାଜିନାମାକୁ ନେଇ ଅଟକି ରହିଥିବା ଆଲୋଚନା ଆଗକୁ ବଢ଼ିବ। ‌ଏହି ତିନିଦିନିଆ ଆଲୋଚନାରେ ଭାଗ ନେବାକୁ ଭାରତର ଏକ ପ୍ରତିନିଧି ମଣ୍ଡଳୀ ୱାସିଂଟନ ଯାତ୍ରା କରିଛି। ଭାରତ ପକ୍ଷରୁ ମୂଲଚାଲର ନେତୃତ୍ବ ନେବେ ବାଣିଜ୍ୟ ଓ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ। ଏହି ପ୍ରତିନିଧି ମଣ୍ଡଳୀରେ ସୀମା ଶୁଳ୍କ ଓ ବିଦେଶ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ସଦସ୍ୟ ରହିଛନ୍ତି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିିଭିନ୍ନ ଦେଶ ଉପରେ ଲଗାଇଥିବା ପାଲଟା ଶୁଳ୍କକୁ ସେଠାକାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ଶୁଳ୍କକୁ ନେଇ ଦ୍ବନ୍ଦ୍ବ ସୃ‌ଷ୍ଟି ହୋଇଥିଲା। ସୁପ୍ରିମକୋର୍ଟଙ୍କ ରାୟ ପରେ ଏକ ଆଇନରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ବିଶେଷାଧିକାରକୁ ବ୍ୟବହାର କରି ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପୁଣି ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଯାହାର ଅବଧି ୧୫୦ ଦିନ ରହିଛି। ଏଭଳି ଏକ ସମୟରେ ପୁଣି ଥରେ ଭାରତ ଓ ଆମେରିକା ମଧ୍ୟରେ ୱାସିଂଟନ ଡିସିରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି। ଶୁଳ୍କକୁ ନେଇ ଅନିଶ୍ଚିତତା ଦେଖାଦେବାରୁ ଗତ ଫେବ୍ରୁଆରିରେ ହେବାକୁ ଥିବା ବୈଠକକୁ ବାତିଲ କରାଯାଇଥିଲା।

ପୂର୍ବରୁ ଯେତେବେଳେ ଭାରତ ଉପରେ ଆମେରିକା ଲଗାଇଥିବା ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିଥିଲା ସେହି ସମୟରେ ଭାରତକୁ ଭଲ ଡିଲ୍‌ ମିଳିଥିଲା। କିନ୍ତୁ ଏବେ ସବୁ ଦେଶ ଉପରେ ସମାନ ୧୦ ପ୍ରତିଶତ ଶୁଳ୍କ ଲଗାଯାଇଥିବାରୁ ଭାରତକୁ ଭିନ୍ନ ଏକ ରଣନୀତି ନେଇ ଆଲୋଚନା କରିବାକୁ ପଡ଼ିବ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବୈଠକ କେବଳ ଶୁଳ୍କ ଆଲୋଚନାରେ ସୀମିତ ରହିବ ନାହିଁ। ଆମେରିକା ବାଣିଜ୍ୟ ପ୍ରତିନିଧି ଭାରତ ବିରୋଧରେ ଆରମ୍ଭ କରିଥିବା ଦୁଇଟି ତଦନ୍ତ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଆମେରିକା ଯେଉଁ ସବୁ ଅଭିଯୋଗ କରିଛି ତାହା ଯଥାର୍ଥ ନୁହେଁ ବୋଲି ଭାରତ  କହୁଛି। ତେଣୁ ଏହା ନିଜ ପକ୍ଷ ସ୍ପଷ୍ଟ କରିବାକୁ ଚାହିବ।

Leave a comment