ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ଫେଲ୍ ମାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶବାସୀଙ୍କୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ବିଲ୍ ପାରିତ ହୋଇ ନପାରିବା ପାଇଁ ସେ ବିରୋଧୀଙ୍କୁ ଦାୟୀ କରିଛନ୍ତି। ବିରୋଧୀ ଦଳ ନିଜ ସ୍ୱାର୍ଥ ପାଇଁ ବିଲ୍ ପାସ୍ ହେବାରେ ବାଧା ଦେଇଛନ୍ତି ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦେଶର ନାରି ଶକ୍ତି ସବୁ ଦେଖୁଛନ୍ତି। ବିଲ୍ ଫେଲ୍ ହେବା ପରେ ମୋତେ ବହୁତ ଦୁଃଖିତ ଲାଗିଥିଲା। ମୋଦୀ ତାଙ୍କର ୩୦ ମିନିଟର ଭାଷଣ ଶେଷ କରିବା ବେଳେ ତାଙ୍କ ସରକାରର ଦୃଢ଼ ମନୋବଳ ଥିବା ଦର୍ଶାଇଥିଲେ। ଆମର ଆତ୍ମବଳ ଅଜେୟ ଏବଂ ତାଙ୍କ ସରକାର ଏପର୍ଯ୍ୟନ୍ତ ହାର ମାନି ନାହିଁ ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ମହିଳା ଶକ୍ତିକୁ ଚାପି ଦିଆଯାଇଛି ଏବଂ ସେମାନଙ୍କ ସ୍ୱପ୍ନକୁ ନିର୍ମମ ଭାବରେ ଦଳିମକଚି ଦିଆଯାଇଛି। ସରକାର ସମସ୍ତ ଚେଷ୍ଟା କରିଥିଲେ, କିନ୍ତୁ ସଫଳତା ପାଇ ନଥିଲେ ଏବଂ ନାରୀ ଶକ୍ତି ବନ୍ଦନା ଆଇନ ସଂଶୋଧନ ହୋଇପାରିଲା ନାହିଁ। ବିରୋଧୀ ବିଲ୍କୁ ଫେଲ୍ କରାଇ ଭୃଣ ନଷ୍ଟ କରିଛି ବୋଲି ମୋଦୀ କହିଛନ୍ତି।
ଆମ ଆତ୍ମବଳ ଅଜେୟ
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ବିଲ୍ ପାସ୍ କରିବା ପାଇଁ ଆବଶ୍ୟକ ୬୬ ପ୍ରତିଶତ ଭୋଟ୍ ପାଇ ନାହୁଁ, କିନ୍ତୁ ମୁଁ ଜାଣିଛି ଯେ ଦେଶର ୧୦୦% ମହିଳାଙ୍କ ଆଶୀର୍ବାଦ ଆମ ସହିତ ଅଛି। ଦେଶର ମହିଳାମାନଙ୍କୁ ଆଶ୍ୱାସନା ଦେଇ ପିଏମ କହିଥିଲେ ଯେ ଏହା କାର୍ଯ୍ୟକାରୀ କରିବାରେ ଯେକୌଣସି ପ୍ରତିବନ୍ଧକକୁ ସେ ଦୂର କରିବେ। ଗତକାଲି, ଆମର ସଂଖ୍ୟାର ଅଭାବ ଥିଲା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ହାରିଗଲୁ। ଆମର ମନୋବଳ ଅଟଳ। ଭବିଷ୍ୟତରେ ଆମକୁ ଅନେକ ସୁଯୋଗ ମିଳିବ।
କଂଗ୍ରେସକୁ ଆକ୍ରମଣ
ଅଧଘଣ୍ଟିଆ ଭାଷଣର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଦେଶ ହିତରେ ଯେକୌଣସି କାମ ଆସିଲେ କଂଗ୍ରେସ ଏହାକୁ ଅଟକାଇ ଦିଏ ବୋଲି ମୋଦୀ କହିଛନ୍ତି। ଏଥିପାଇଁ ଦେଶ ଆଜି ଯେଉଁଠି ପହଞ୍ଚିବାର ଥିଲା, ସେଠି ପହଞ୍ଚିପାରି ନାହଁ। ଝୁଲେଇ ରଖିବା ଅଟକାଇବା କଂଗ୍ରେସର କାମ ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ କଂଗ୍ରେସ ଦେଶର ପ୍ରତ୍ୟେକ ଆବଶ୍ୟକୀୟ ସଂଶୋଧନକୁ ବିରୋଧ କରେ। ସେମାନେ ଜନଧନ, ଆଧାର, ଡିଜିଟାଲ ପେମେଣ୍ଟ, ଜିଏସଟି, ଗରିବଙ୍କ ପାଇଁ ସଂରକ୍ଷଣ, ତିନି ତଲାକ ଆଇନ ଏବଂ ଧାରା ୩୭୦କୁ ଉଚ୍ଛେଦ ସମେତ ସବୁକିଛିକୁ ବିରୋଧ କରିଛନ୍ତି। ସେମାନେ ସମାନ ନାଗରିକ ସଂହିତା ଭଳି ସଂଶୋଧନ ମଧ୍ୟ ବିରୋଧ କରନ୍ତି। ସଂଶୋଧନ କଥା କହିବା ମାତ୍ରେ, କଂଗ୍ରେସ ପ୍ରତିବାଦ କରିବା ଆରମ୍ଭ କରେ। ସେମାନେ ଦେଶକୁ ମଜବୁତ କରୁଥିବା ଯେକୌଣସି କାର୍ଯ୍ୟକୁ ବାଧା ଦିଅନ୍ତି। ସେମାନେ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ଏବଂ ଅନୁପ୍ରବେଶକାରୀଙ୍କ ବହିଷ୍କାରକୁ ମଧ୍ୟ ବିରୋଧ କରିଛନ୍ତି ବୋଲି ମୋଦୀ କହିଛନ୍ତି।
କଂଗ୍ରେସକୁ ମହିଳା ବିରୋଧୀ କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳ ସୀମା ନିର୍ଦ୍ଧାରଣ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି। କୌଣସି ରାଜ୍ୟର ପ୍ରତିନିଧିତ୍ୱ କିମ୍ବା ଏହାର ଅଂଶ ହ୍ରାସ କରାଯିବ ନାହିଁ। ବରଂ ସମସ୍ତ ରାଜ୍ୟର ଆସନ ସମାନ ଅନୁପାତରେ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ସର୍ବଦା ମହିଳା ସଂରକ୍ଷଣ ବିରୋଧରେ ରହିଆସିଛି ଏବଂ ସବୁବେଳେ ଏଥିରେ ବାଧା ସୃଷ୍ଟି କରିଛି। ଏଥର ମଧ୍ୟ ବିଭିନ୍ନ ବାହାନା ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରାଯାଇଛି ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ଏକବିଂଶ ଶତାବ୍ଦୀର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ‘ମହାଯଜ୍ଞ’ ଥିଲା ବୋଲି କହିଛନ୍ତି। ବିରୋଧୀ ଦଳମାନେ ଦେଶର ନାରୀଶକ୍ତି ଓ ସମ୍ବିଧାନ ଦୁଇଜଣଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ମୋଦୀ କହିଛନ୍ତି।