ନିଜ କ୍ରିକେଟ୍ କ୍ୟାରିୟରର ଅନେକ ସ୍ମରଣୀୟ ମୁହୂର୍ତ୍ତ ସହ ଜଡ଼ିତ ମୂଲ୍ୟବାନ ଉପକରଣଗୁଡ଼ିକୁ MCA ଦାନ କରିବାକୁ ଯାଉଛନ୍ତି ସଚିନ
କ୍ରିକେଟ୍ ଜଗତର ମହାନାୟକ ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଐତିହାସିକ ଯାତ୍ରାକୁ ଏଣିକି ଅତି ନିକଟରୁ ଦେଖିବାର ସୁଯୋଗ ପାଇବେ କ୍ରିକେଟ୍ ପ୍ରେମୀ। ନିଜ କ୍ରିକେଟ୍ କ୍ୟାରିୟରର ଅନେକ ସ୍ମରଣୀୟ ମୁହୂର୍ତ୍ତ ସହ ଜଡ଼ିତ ମୂଲ୍ୟବାନ ଉପକରଣଗୁଡ଼ିକୁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (MCA)କୁ ଦାନ କରିବାକୁ ଯାଉଛନ୍ତି ସଚିନ। ଏହି ସାମଗ୍ରୀଗୁଡ଼ିକ ମୁମ୍ବାଇର ଶରଦ ପାୱାର କ୍ରିକେଟ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ।ଏହି ଉପଲକ୍ଷେ MCA ପକ୍ଷରୁ ‘ବାଟୋଗ୍ରାଫି’ ନାମରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏଥିରେ ସଚିନଙ୍କ କ୍ରିକେଟ୍ ଜୀବନର ବିଭିନ୍ନ ସମୟରେ ବ୍ୟବହୃତ ୨୬ଟି ବ୍ୟାଟ୍ ସହ ଅନ୍ୟାନ୍ୟ ଐତିହାସିକ ସାମଗ୍ରୀ ସ୍ଥାନ ପାଇବ। ଏହି ବ୍ୟାଟ୍ଗୁଡ଼ିକ ମାଧ୍ୟମରେ ସଚିନଙ୍କ ଦୀର୍ଘ କ୍ରିକେଟ୍ ଯାତ୍ରା ଓ ତାଙ୍କ ଅସାଧାରଣ ସଫଳତାର କାହାଣୀକୁ ଉପସ୍ଥାପନ କରାଯିବ।ଆସନ୍ତା ନଭେମ୍ବର ୧୬ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ରଦର୍ଶନୀର ଉନ୍ମୋଚନ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୩ ମସିହା ନଭେମ୍ବର ୧୬ ତାରିଖରେ ହିଁ ସଚିନ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ୨୦୦ତମ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳି ସେ ଐତିହାସିକ ବିଦାୟ ନେଇଥିଲେ। ଏହି ଦିନଟି ସଚିନଙ୍କ କ୍ରିକେଟ୍ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।ଏହି ପ୍ରଦର୍ଶନୀରେ କେବଳ ବ୍ୟାଟ୍ ନୁହେଁ, ବରଂ ସଚିନଙ୍କ ହେଲମେଟ୍, ଜର୍ସି, ଗ୍ଲୋଭ୍ସ ଏବଂ ତାଙ୍କ କ୍ୟାରିୟର ସହ ଜଡ଼ିତ ବିଭିନ୍ନ ନୋଟ୍ସ ଓ ସ୍ମାରକୀ ମଧ୍ୟ ପ୍ରଦର୍ଶିତ ହେବ। ଏହା ମାଧ୍ୟମରେ ତାଙ୍କର ରେକର୍ଡଭରା କ୍ୟାରିୟରର ଅନେକ ଅଜଣା ଓ ସ୍ମରଣୀୟ ଅଧ୍ୟାୟକୁ ଜାଣିବାର ସୁଯୋଗ ପାଇବେ ଦର୍ଶକ।ଏନେଇ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ର ସଭାପତି ଅଜିଙ୍କ୍ୟ ନାଏକ କହିଛନ୍ତି ଯେ, ଭାରତୀୟ ଓ ବିଶ୍ୱ କ୍ରିକେଟ୍ ପ୍ରତି ସଚିନଙ୍କ ଅବଦାନ କେବଳ ତାଙ୍କ ରେକର୍ଡ ମଧ୍ୟରେ ସୀମିତ ନୁହେଁ। ତାଙ୍କର ଯାତ୍ରା ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀଙ୍କ ସ୍ମୃତି ସହ ଜଡ଼ିତ। ତାଙ୍କ ବ୍ୟାଟ୍ଗୁଡ଼ିକ ସେହି ମହାନ ଯାତ୍ରାର ଅତ୍ୟନ୍ତ ବ୍ୟକ୍ତିଗତ ଓ ମୂଲ୍ୟବାନ ସ୍ମାରକୀ।ନାଏକ ଆହୁରି କହିଛନ୍ତି ଯେ, ‘ବାଟୋଗ୍ରାଫି’ ମାଧ୍ୟମରେ MCA ସଂଗ୍ରହାଳୟକୁ ଏକ ନୂଆ ପରିଚୟ ମିଳିବ। ଦର୍ଶକମାନେ ସଚିନଙ୍କ ଦ୍ୱାରା ବ୍ୟବହୃତ ଉପକରଣଗୁଡ଼ିକୁ ଦେଖି ତାଙ୍କ ସଫଳତା ପଛରେ ଥିବା କାହାଣୀକୁ ଅନୁଭବ କରିପାରିବେ। ଏହି ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ MCA ସହ ବାଣ୍ଟିବା ପାଇଁ ସଚିନଙ୍କ ନିଷ୍ପତ୍ତିକୁ ନେଇ ସଂଘ ଗର୍ବିତ ବୋଲି ସେ ପ୍ରକାଶ କରିଛନ୍ତି।