ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକା ଓ ୟୁରୋପର ଲକ୍ଷ୍ୟ ଏକ, ସ୍ପଷ୍ଟ କଲେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ
ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକା ଓ ୟୁରୋପର ଲକ୍ଷ୍ୟ ଏକ। ଏହା ସ୍ପଷ୍ଟ କରିଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ । ତାଙ୍କ କହିବା ଅନୁଯାୟୀ, ଆମେରିକା ଓ ୟୁରୋପ ମଧ୍ୟରେ ଏହି ପ୍ରସଙ୍ଗରେ କୌଣସି ମୌଳିକ ମତଭେଦ ନାହିଁ । ଉଭୟଙ୍କ ଉଦ୍ଦେଶ୍ୟ ହେଉଛି ଯୁଦ୍ଧର ଅନ୍ତ ଘଟାଇବା ଏବଂ ଭବିଷ୍ୟତରେ ଯେପରି ପୁଣି ଏଭଳି ସଂଘର୍ଷ ନହୁଏ, ତାହା ସୁନିଶ୍ଚିତ କରିବା ।
ରୁବିଓ କହିଛନ୍ତି, କେବଳ ଯୁଦ୍ଧବିରତି କିମ୍ବା ଶାନ୍ତି ଚୁକ୍ତି କରିଦେଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ । ଏଥିପାଇଁ ୟୁକ୍ରେନ୍ ର ଦୀର୍ଘକାଳୀନ ସୁରକ୍ଷା ନିଶ୍ଚିତ କରିବାକୁ ପଡ଼ିବ । ଭବିଷ୍ୟତରେ ୟୁକ୍ରେନ୍ ଯେପରି ନିଜ ସୁରକ୍ଷାକୁ ନେଇ ପୁଣି ଥରେ ବିପଦ ଅନୁଭବ ନକରେ, ସେଥିପାଇଁ ଏକ ଭରସାଯୋଗ୍ୟ ବ୍ୟବସ୍ଥା ଆବଶ୍ୟକ। ଅନ୍ୟପକ୍ଷରେ, ରୁଷ୍ ସହ ଆମେରିକାର ସମ୍ଭାବ୍ୟ ଶାନ୍ତି ଚୁକ୍ତିକୁ ନେଇ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ରହିଥିବା ଆଶଙ୍କା ସମ୍ପର୍କରେ ମଧ୍ୟ ରୁବିଓ ମତ ରଖିଛନ୍ତି ।
ତାଙ୍କ ଅନୁଯାୟୀ, ୟୁରୋପରେ ସବୁବେଳେ ଏକ ଚିନ୍ତା ରହିଆସିଛି ଯେ ଆମେରିକା ସେମାନଙ୍କୁ ବାଦ୍ ଦେଇ ରୁଷ୍ ସହ ସିଧାସଳଖ କୌଣସି ବୁଝାମଣା କରିପାରେ । କିନ୍ତୁ ଏଭଳି ଆଶଙ୍କାର କୌଣସି କାରଣ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ରୁବିଓ ସ୍ପଷ୍ଟ କରିଛନ୍ତି ଯେ ୟୁରୋପୀୟ ସହଯୋଗୀମାନେ ଶାନ୍ତି ପ୍ରକ୍ରିୟାରୁ ବାଦ୍ ପଡ଼ିନାହାନ୍ତି। ବରଂ ସେମାନେ ଆମେରିକା ସହିତ ଏହି କୂଟନୈତିକ ପ୍ରୟାସରେ ସାମିଲ ଅଛନ୍ତି । ଆମେରିକୀୟ ଆଲୋଚନାକାରୀମାନଙ୍କ ମତରେ, ରୁଷ୍ , ୟୁକ୍ରେନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ତ୍ରିପାକ୍ଷିକ ଆଲୋଚନାରେ ଆଗାମୀ ଦିନରେ ୟୁରୋପୀୟ ସହଯୋଗୀମାନଙ୍କୁ ମଧ୍ୟ ସାମିଲ କରାଯିବା ଉଚିତ୍ ।
ୟୁକ୍ରେନ୍ ଯୁଦ୍ଧର ଦୀର୍ଘସ୍ଥାୟୀ ସମାଧାନ ପାଇଁ ୟୁରୋପର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରୁବିଓ ମତ ଦେଇଛନ୍ତି । ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଯେ ଆମେରିକା କେବଳ ଯୁଦ୍ଧ ଶେଷ କରିବା ଉପରେ ନୁହେଁ, ବରଂ ଭବିଷ୍ୟତରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ୟୁରୋପୀୟ ଦେଶଗୁଡ଼ିକର ସହଭାଗିତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ତେବେ ଶାନ୍ତି ଆଲୋଚନାରେ ୟୁରୋପୀୟ ଦେଶଗୁଡ଼ିକୁ କେବେ ଏବଂ କେଉଁ ଢାଞ୍ଚାରେ ସାମିଲ କରାଯିବ, ସେନେଇ ରୁବିଓ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରିନାହାନ୍ତି ।