ଡିସେମ୍ୱର ୧୫ରୁ ୧୭ ତିନି ଦିନ ଧରି ଭୁବନେଶ୍ୱର ଆୟୋଜିତ ହେବ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
ଭୁବନେଶ୍ୱର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ନେଇ ବିଆଇଏଫ୍ଏଫ୍ ପକ୍ଷରୁ ଘୋଷଣା କରାଯାଇଛି । ଏହା ମାଧ୍ୟମରେ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ ହେବ, ଯାହା ଚଳଚ୍ଚିତ୍ର କ୍ଷେତ୍ରରେ ଉତ୍କର୍ଷତା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଚଳଚ୍ଚିତ୍ରକୁ ଉପଭୋଗ କରିବା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ହେବ ।
ଚଳଚ୍ଚିତ୍ର ନିର୍ମାତା ମାନସ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଆଇଏଫ୍ଏଫ୍, ଓଡ଼ିଶାର ପ୍ରଥମ ବୃତ୍ତିଗତ ଭାବେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ଚଳଚ୍ଚିତ୍ର ମହୋତ୍ସବ । ଏହା ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଓ ମାନଦଣ୍ଡ ଦ୍ୱାରା ପରିଚାଳିତ ହେବ ଏବଂ ଚଳଚ୍ଚିତ୍ର ନିର୍ମାଣର ମୂଲ୍ୟାଙ୍କନ ତଥା ଉତ୍ସବ ପାଳନ ପାଇଁ ଏକ ସଂଗଠିତ ବ୍ୟବସ୍ଥା ପ୍ରଦାନ କରିବ । ଆସନ୍ତା ଡିସେମ୍ୱର ୧୫ରୁ ୧୭ ତିନି ଦିନ ଧରି ଭୁବନେଶ୍ୱର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ବିଆଇଏଫଏଫ) ୨୦୨୬ ଚାଲିବ । ଭୁବନେଶ୍ୱର ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଆୟୋଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।