ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏଯାଏଁ କୌଣସି ପ୍ରକୃତ କଥାବାର୍ତ୍ତା ହୋଇନାହିଁ – ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
ସରକାରୀ କାର୍ଯ୍ୟକ୍ରମରେ ଉଭୟଙ୍କର ସାକ୍ଷାତ ହୁଏ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏଯାଏଁ ତାଙ୍କର କୌଣସି ପ୍ରକୃତ କଥାବାର୍ତ୍ତା ହୋଇନାହିଁ। ନିଜ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ଏଭଳି ଲେଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ମଙ୍ଗଳବାର ଏହି ପୁସ୍ତକ ବଜାରକୁ ଆସିଛି।
ପୁସ୍ତକରେ ସୋନିଆ ଲେଖିଛନ୍ତି, “ଏହି ଲେଖା ଲେଖିବା ବେଳକୁ ନରେନ୍ଦ୍ର ଦାମୋଦରଦାସ ମୋଦୀ ୧୨ ବର୍ଷରୁ ଅଧିକ ସମୟ ଧରି ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କର ତୃତୀୟ ପଳି ଚାଲିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ସହ ମୋର ପ୍ରାୟ କୌଣସି ପ୍ରକୃତ ଯୋଗାଯୋଗ ହୋଇନାହିଁ ।’ ସୋନିଆ କହିଛନ୍ତି ଯେ, ଉଭୟଙ୍କର ସାକ୍ଷାତ ହେଲେ ପରସ୍ପରକୁ ନମସ୍କାର କରନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଦେଖିବା ପରିବର୍ତ୍ତେ ଅନ୍ୟ ଦିଗକୁ ଚାହିଁ ଦିଅନ୍ତି ଏବଂ ଆଖିରେ ଆଖି ମିଶାଇବାକୁ ଏଡ଼ାଇ ଯାଆନ୍ତି। ପୂର୍ବରୁ ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଯେଉଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହୁଥିଲା, ଏହା ତାହାଠାରୁ ଭିନ୍ନ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, “ସଂସଦର ପ୍ରତ୍ୟେକ ଅଧିବେଶନ ଶେଷରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବିଭିନ୍ନ ଦଳର ପ୍ରମୁଖ ନେତାମାନେ ଏକାଠି ହୁଅନ୍ତି। ଏହା ଏକ ଛୋଟ କୋଠରି ଏବଂ ସେଠାରେ ସାଧାରଣତଃ ଅନେକ ଲୋକ ଉପସ୍ଥିତ ଥାଆନ୍ତି। ସେଠାରେ ମୋଦୀଙ୍କ ସହ ମୁହାଁମୁହିଁ ହେଲେ ଆମେ ଔପଚାରିକ ଭାବେ ନମସ୍କାର କରୁ। ଅତୀତରେ ଭିନ୍ନ ଭିନ୍ନ ଦଳର ନେତାମାନେ ପରସ୍ପର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରୁଥିଲେ। କିନ୍ତୁ ସେ ମୋତେ ଦେଖିବାରୁ ଦୂରେଇ ରହି ଅନ୍ୟ ଦିଗକୁ ଚାହିଁ ଦିଅନ୍ତି ।’ସୋନିଆ ଗାନ୍ଧୀ କହିଛନ୍ତି ଯେ, ଉଭୟଙ୍କ ବିଚାରଧାରା ଭିନ୍ନ। ଦେଶକୁ ନେଇ ମୋଦୀଙ୍କ ଚିନ୍ତାଧାରା ତାଙ୍କ ଚିନ୍ତାଧାରାଠାରୁ ସମ୍ପୂର୍ଣ୍ଣ ଅଲଗା। ହସ୍ପିଟାଲରୁ ଫେରିବା ପରେ କିଛି ସମୟରେ ମୋଦୀ ତାଙ୍କୁ “ଠିକ୍ ଅଛନ୍ତି କି?’ ବୋଲି ପଚାରିଥିବା ସେ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହାର ଉତ୍ତରରେ ସେ ‘ହଁ, ବର୍ତ୍ତମାନ ମୁଁ ଠିକ୍ ଅଛି, ଧନ୍ୟବାଦ’ ବୋଲି କହିଥିଲେ।
ସଂସଦରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବେଳେବେଳେ ସାଧାରଣ ସଭାରେ ବ୍ୟବହାର କରୁଥିବା ଭଳି କଠୋର ଭାଷା ପ୍ରୟୋଗ କରୁଥିବା ସୋନିଆ ଅଭିଯୋଗ କରିଛନ୍ତି। ଅଧିକାଂଶ ସମୟରେ ସେ ବିରୋଧୀ ଦଳକୁ ସମାଲୋଚନା କରିବାକୁ ଯାଇ ତୀବ୍ର ଆକ୍ରମଣାତ୍ମକ ଭାଷା ବ୍ୟବହାର କରନ୍ତି ବୋଲି ସେ ଲେଖିଛନ୍ତି। ସୋନିଆଙ୍କ ମତରେ, ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ବିଜେପିର ଆକ୍ରୋଶର ଏକ ପ୍ରମୁଖ ଲକ୍ଷ୍ୟ। ଦେଶକୁ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ପଥରେ ଆଗେଇ ନେଇଥିବାରୁ ନେହରୁଙ୍କୁ ତାଙ୍କ ଦଳ ଟାର୍ଗେଟ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସଂଘ ପରିବାର ସହ ଜଡ଼ିତ ଇଣ୍ଟରନେଟ୍ ସାଇଟ୍ଗୁଡ଼ିକରେ ନେହରୁଙ୍କ ବିରୋଧରେ ଅପପ୍ରଚାର ଓ ମିଥ୍ୟା ତଥ୍ୟ ଭରି ରହିଛି ବୋଲି ମଧ୍ୟ ସେ ଲେଖିଛନ୍ତି।