ମନୁଷ୍ୟ କେଉଁଠି ବନ୍ୟା କରେ ନାହିଁ , ଏହା ପଛରେ କାରଣ ଦୀର୍ଘ ଦିନର ଅବହେଳା, ଏକଥା ବି ବୁଝିବା ଦରକାର -ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

ଏପଟେ ବନ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ନବୀନଙ୍କ ଚିଠିର ପ୍ରତିକ୍ରିୟା ରଖିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ  ।  ମନୁଷ୍ୟ କେଉଁଠି ବନ୍ୟା କରେ ନାହିଁ ।  ଏହା ପଛରେ କାରଣ ଦୀର୍ଘ ଦିନର ଅବହେଳା, ଏକଥା ବି ବୁଝିବା ଦରକାର ।  ରିଲିଫ, ଉଦ୍ଧାର, ପୁନଃରୁଦ୍ଧାର ସରକାର ତତ୍ପରତାର ସହ କରିଛନ୍ତି ।  ୭୨ ଘଣ୍ଟାରେ ୨ଶହରୁ ଅଧିକ ରାସ୍ତା ମରାମତି ହୋଇଛି ବୋଲି କହିଛନ୍ତି ପୃଥ୍ବୀରାଜ ।

ପ୍ରକାଶଯୋଗ୍ୟ, ଗଞ୍ଜାମ ବନ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାରେ ବନ୍ୟା ମନୁଷ୍ୟକୃତ ବୋଲି ଅଭିଯୋଗ କରିଥିଲେ । ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିଥିଲେ ।  ବିପର୍ଯ୍ୟୟର ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବର୍ଷିଥିଲେ ବିରୋଧୀ ଦଳ ନେତା ।  ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିପନ୍ନଙ୍କୁ ତୁରନ୍ତ ରିଲିଫ୍ ଓ ଥଇଥାନ ପାଇଁ ଦାବି କରିଥିଲେ ନବୀନ ।

ଗଞ୍ଜାମ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ତୁରନ୍ତ ରିଲିଫ୍ ଓ ଥଇଥାନ ପାଇଁ ମଧ୍ୟ ଦାବି କରିଥିଲେ ।  IMD ପକ୍ଷରୁ ଅକ୍ଟୋବର ୨୩ରୁ ବାତ୍ୟା ସତର୍କ ସୂଚନା ମିଳିଥିଲେ ମଧ୍ୟ ଡ୍ୟାମ୍ ଜଳ ଆଗୁଆ ଛଡ଼ାଯାଇ ନଥିଲା । ପ୍ରବଳ ବର୍ଷା ପରେ ଜଳ ଛଡ଼ାଯିବାରୁ ବନ୍ୟା ଅଧିକ ଭୟଙ୍କର ହୋଇଥିଲା । ଗେଟ୍ ଖୋଲିବା ଆଗରୁ ଲୋକଙ୍କୁ ପର୍ଯ୍ୟାପ୍ତ ସତର୍କ ସୂଚନା ଦିଆଯାଇ ନଥିବା ଲୋକେ ଅଭିଯୋଗ କରିଛନ୍ତି ବୋଲି ନବୀନ ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ ।   ବନ୍ୟା ପ୍ରସଙ୍ଗରେ ଯାହାର ଉତ୍ତର ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଦେଇଛନ୍ତି  ।

Leave a comment