ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି,ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି

ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟା ଓ ବିକ୍ରି ନେଇ କଟକଣା । ପ୍ରଦୂଷଣ ବୋର୍ଡ ଜାରି କଲା ଗାଇଡଲାଇନ୍ । କେବଳ ଗ୍ରୀନ୍ କ୍ରାକର୍ସକୁ ଅନୁମତି । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବା ସହ ଦୀପ ଜାଳି ଆଲୋକର ପର୍ବ ପାଳନ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ କୁହାଯାଇଛି । ବାଣର ଶବ୍ଦ ସ୍ତର ନିର୍ଦ୍ଧାରିତ ସର୍ବାଧିକ ସୀମା ୧୨୫ dB(AI) ଭିତରେ ରହିବା ଦରକାର । ନିରବ ଅଞ୍ଚଳ ଘୋଷିତ ହୋଇଥିବା ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ, ଉଦ୍ୟାନ ଓ ପାର୍କ ଆଦି ସ୍ଥାନରେ ବାଣ ଫୁଟାଇବା ନିଷେଧ କରାଯାଇଛି ।ସେପଟେ ଚୋରା ବାଣ ବ୍ୟବସାୟ ଉପରେ କଡା ନଜର ରଖିଛି କମିଶନରରେଟ ପୋଲିସ । ଗ୍ରୀନ୍ କ୍ରାକର୍ସ ବ୍ୟତୀତ ଅନ୍ୟ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ କଟକଣା ରହିଛି । ଖୋଲା ସ୍ଥାନରେ କେବଳ ଅନୁମୋଦିତ ଗ୍ରୀନ୍ କ୍ରାକର୍ସ ଫୁଟାଇବାକୁ କୁହାଯାଇଛି । ଏହା କିଣିବା ସମୟରେ ପ୍ୟାକେଟ୍ରେ CSIR-NEERIର ସବୁଜ ଲୋଗୋ ଓ QR କୋଡ୍ ଯାଞ୍ଚ କରିବା ସହ ଅନୁମୋଦିତ ବିକ୍ରେତାଙ୍କ ଠାରୁ କିଣିବାକୁ ପରାମର୍ଶ ଦିଆଯାଇଛି । ବାଣରେ ବେରିୟମ୍ ଓ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଛି । ନିୟମ ଉଲ୍ଲଂଘନ କଲେ ଓଡ଼ିଶା ଆତସବାଜି ଓ ଲାଉଡ୍ସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ ବିନିୟମ) ନିୟମାବଳୀ, ୨୦୦୦ ଅନୁଯାୟୀ ଦଣ୍ଡବିଧାନ ହୋଇପାରେ । ଏ ସମ୍ପର୍କିତ ଅଭିଯୋଗ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ନିକଟରେ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।ସେପଟେ ବିନା ଲାଇସେନ୍ସରେ ବାଣ ବିକ୍ରି କଲେ ପୋଲିସ ହେବ ଆକ୍ସନ । ଅସ୍ଥାୟୀ ଦୋକାନ ମଧ୍ୟରେ ଦୂରତା ରହିବ ୫ ଫୁଟ । ରାତି ୧୦ଟା ପରେ ରାଜଧାନୀରେ ବାଣଫୁଟା ବନ୍ଦ ରହିବ । ବାଣ ଦୋକାନ ମାନଙ୍କରେ ରହିବ ଅଗ୍ନିଶମ ସାମଗ୍ରୀ । ଅଗ୍ନି ନିର୍ବାପକ ଗ୍ୟାସ୍ ସିଲିଣ୍ଡର ସହିତ ପାଣି ଭର୍ତ୍ତି ଡ୍ରମ, ବାଲି ଓ କମ୍ବଳ ରଖିବା ବାଧ୍ୟତାମୂଳକ କରାଯାଇଛି । ସୁପ୍ରିମକୋର୍ଟ ଗାଇଡଲାଇନକୁ କଡାକଡି ପାଳନ କରିବାକୁ କମିଶନରେଟ୍ ପୋଲିସ ଆଉ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିବେଦନ ।

Leave a comment