ଭକ୍ତିରେ ଭିଜିଲା ଭବାନୀପାଟଣା,ଛତରଯାତ୍ରାରେ ମା’ ମାଣିକେଶ୍ୱରୀଙ୍କ ପିଠରେ ପଡ଼ିଲା ବଳି

ଭକ୍ତିରେ ଭିଜିଲା ଭବାନୀପାଟଣା  । ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ପାଇଁ ସହରରେ ଉତ୍ସବର ମାହୋଲ  । ପରମ୍ପରା ଅନୁଯାୟୀ ମହାଷ୍ଟମୀ ମଧ୍ୟରାତ୍ରିରୁ ଗୁପ୍ତ ପୂଜାପରେ ମହାନବମୀ ପ୍ରତ୍ୟୁଷରେ ଜେନାଖାଲରେ ହୋଇଥିଲା ସ୍ୱତନ୍ତ୍ର ଗୁପ୍ତପୂଜା  । ପରେ ଭୋର ୪ଟା ୩୦ରେ ଜେନାଖାଳ ଠାରୁ ପୂଜକ, ବହୁକ, ମୁଣ୍ଡଛୀନା ସେବକ ମା’ଙ୍କ ଛତର ନେଇ ବାହାରିଥିଲେ  ।  ଘୁମୁରା, ନିଶାନ ଓ ଘଣ୍ଟବାଦ୍ୟରେ ପ୍ରକମ୍ପିତ ହୋଇଥିଲା ପରିବେଶ। ମା’ଙ୍କ ଛତରକୁ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା  ।  ବିଜୟ ଯାତ୍ରାରେ ସାମିଲ ହୋଇଥିଲେ ୩୫ଟି ସାଂସ୍କୃତିକ ଦଳ  ।ଜେନାଖାଲ ଠାରୁ ମା’ଙ୍କ ମନ୍ଦିର ୩ କିଲୋମିଟର ମା’ଙ୍କ ଛତରା ଯିବା ସମୟରେ ମାନସିକ ଧାରୀ ମାନେ କୁକୁଡ଼ା ବୋଦା ବଳି ଦେଇଥିବା ବେଳେ କିଛି ଶ୍ରଦ୍ଧାଳୁ ଶାନ୍ତିର ପ୍ରତୀକ ଭାବେ ପାରାକୁ ମା’ଙ୍କ ଛତର ଉପରେ ଛାଡି ଦେଇଥିଲେ  ।  ତେବେ ପ୍ରଶାସନ ପକ୍ଷରୁ ଏବଂ କଳାହାଣ୍ଡି ରାଜ ଦରବାର ପକ୍ଷରୁ ଛତର ୧୧ଟାରେ ମନ୍ଦିରକୁ ପିହଞ୍ଚିବା ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥିବା ବେଳେ କୌଣସି କାରଣ ପାଇଁ ଚଳିତ ବର୍ଷ ସକାଳ ୮ରେ ମା’ଙ୍କ ମନ୍ଦିରକୁ ପହଞ୍ଚିଥିଲା   । ତେବେ ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ଛତରକୁ କାନ୍ଧରେ ବୋହି ଗର୍ଭଗୃହକୁ ନେଇଥାନ୍ତି କିନ୍ତୁ ଚଳିତ ବର୍ଷ ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁ ତାଙ୍କ ପୁଅ କଳାହାଣ୍ଡି ରାଜ କୁମର ଛତରକୁ ଧରି ଗର୍ଭ ଗୃହକୁ ନେଇ କି ଯାଇଥିଲେ  । ତେବେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଛତରଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା l କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡାଙ୍କ ତତ୍ତ୍ୱାବଧାନରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯୬ ଜଣ ଅଧିକାରୀ ମୁତୟନ ହୋଇଥିଲେ  । ଟ୍ରାଫିକ୍ ନିୟନ୍ତ୍ରଣ, ପ୍ରବେଶ ପଥରେ ଯାଞ୍ଚ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସହରରେ ଲଗାଯାଇଥିଲା ସର୍ଭେଲାନ୍ସ କ୍ୟାମେରା ଡ୍ରୋନ୍ରେ ମଧ୍ୟ ରଖାଯାଇଥିଲା ନଜର  ।

Leave a comment