ଚଳିତ ଦୁର୍ଗା ପୂଜାରେ ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଜାଣନ୍ତୁ କାରଣ
ଚଳିତ ଦୁର୍ଗା ପୂଜାରେ ରାଜଧାନୀ ଭୁବନେଶ୍ଵରରେ ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଲଗାଣ ବର୍ଷା ଏବଂ ବନ୍ୟାଜନିତ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗାପୂଜାକୁ ଅତି ନିରାଡମ୍ବର ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ବର୍ଷା ଓ ବନ୍ୟା ଯୋଗୁ ବିଶେଷ କରି ରାଜ୍ୟର ଚାଷୀ ଭାଇ ଓ ଭଉଣୀମାନେ ଅନେକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ବିଶେଷ କରି ଚାଷୀ ଭାଇ ଭଉଣୀଙ୍କ ବ୍ୟାପକ କ୍ଷୟକ୍ଷତି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖିତ ଅଛନ୍ତି । ଏହି ସଙ୍କଟଜନକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ପୂଜା ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ
ପ୍ରାକୃତିକ ଦୁର୍ବିପାକରେ ପ୍ରଭାବିତ ହୋଇଥିବା ଜନସାଧାରଣ ଓ ଚାଷୀମାନଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ କୌଣସି ବି ପୂଜା ମଣ୍ଡପକୁ ଯାଇ ଦର୍ଶନ କିମ୍ବା ବୁଲାବୁଲି କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଦେଖିବାକୁ ମିଳିବନି ପାଓ୍ଵାର ଶୋ
ଏହା ପୂର୍ବରୁ ଗତକାଲି ଖବର ଆସିଥିଲା ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜଧାନୀରେ ଦୁର୍ଗାପୂଜା ମଣ୍ଡପ ବୁଲିବେ। ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ମଣ୍ଡପ ବୁଲିବେ ବୋଲି ଖବର ପ୍ରକାଶ ପାଇଥିଲା। ଦୁଇ ନେତାଙ୍କ ମଣ୍ଡପ ବୁଲାକୁ ନେଇ ଏକ ପାଓ୍ଵାର ଶୋ ଦେଖିବାକୁ ମିଳିଥାନ୍ତା। ଏବେ ଦେଖିବାକୁ ବାକି ରହିଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଣ୍ଡପ ବୁଲିବେ କି ନାହିଁ।