ସମସ୍ତ ଫର୍ମାଟ୍‌ ନେତୃତ୍ବରୁ ଓହରିଲେ ଭାରତର ଏକମାତ୍ର ମହିଳା କ୍ରିକେଟ ବିଶ୍ବକପ ବିଜେତା ଅଧିନାୟିକା ହରମନପ୍ରୀତ କୌର

ଭାରତର ଏକମାତ୍ର ମହିଳା କ୍ରିକେଟ ବିଶ୍ବକପ ବିଜେତା ଅଧିନାୟିକା ହରମନପ୍ରୀତ କୌର ସମସ୍ତ ଫର୍ମାଟର ନେତୃତ୍ବ ଦାୟିତ୍ବରୁ ଓହରି ଯାଇଛନ୍ତି। ସେ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। କେବଳ ମୁଁ ଅଧିନାୟିକା ପଦରୁ ଓହରି ଯାଇଛି; ଭାରତୀୟ ଦଳ ସହ ଯାତ୍ରା ଜାରିରହିବ ବୋଲି ହରମନପ୍ରୀତ କହିଛନ୍ତି। ହରମନପ୍ରୀତଙ୍କ ନେତୃତ୍ବରେ ଭାରତ ୨୦୨୫ ଦିନିକିଆ ବିଶ୍ବକପ ଟାଇଟଲ ଜିତିଥିଲା। ହରମନପ୍ରୀତ ୩ଟି ଯାକ ଫର୍ମାଟରେ ୨୧୧ଟି ଅନ୍ତଜାତୀୟ ମ୍ୟାଚରେ ନେତୃତ୍ବ ନେଇଥିବାବେଳେ ୧୨୭ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଅଧିନାୟକତ୍ବ ଜୀବନରେ ସେ ୯୦୦୦ରୁ ଅଧିକ ରନ କରିବା ସହ ୭୫ଟି ୱିକେଟ ହାସଲ କରିଛନ୍ତି। ଗୁଆହାଟୀରେ ଆୟୋଜିତ ବିସିସିଆଇର ସମୀକ୍ଷା ବୈଠକର ଗୋଟିଏ ଦିନ ପରେ ହରମନପ୍ରୀତ ସମସ୍ତ ଫର୍ମାଟରୁ ଅଧିନାୟିକା ପଦ ଛାଡ଼ିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।

ହରମନପ୍ରୀତ ଇନ୍‌ଷ୍ଟାଗ୍ରାମରେ ଭାବବିହ୍ବଳ ଭାବେ ଲେଖିଛନ୍ତି ଯେ,ଏହି ନିଷ୍ପତ୍ତି ନେବା ସହଜ ନଥିଲା। ଏଥିରେ ବହୁ ବର୍ଷର ସ୍ମୃତି, ଭାବନା, ତ୍ୟାଗ ଏବଂ ଏପରି କିଛି ମୁହ୍ବୂର୍ତ୍ତ ଜଡିତ ରହିଛି ଯାହା ଜୀବନସାରା ମୋ ସହିତ ରହିିବ। ସେ ଅହୁରି ମଧ୍ୟ ଲେଖିଛନ୍ତି, ମୁଁ ଏହି ଦଳ ଏବଂ ଭାରତୀୟ କ୍ରିକେଟ ପାଇଁ ନିଜର ସର୍ବସ୍ବ ଦେଇଛି। ଏପରି କିଛି ମୁହ୍ବୂର୍ତ୍ତ ଆସିଥିଲା ଯେତେବେଳେ ମୋର ବ୍ୟକ୍ତିଗତ ପ୍ରଦର୍ଶନ, ବିକାଶ ଏବଂ ନିଜର ଇଛାକୁ ପଛରେ ପକାଇବାକୁ ପଡ଼ିଥିଲା। କାରଣ ମୁଁ ବିଶ୍ବାସ କରିଥିଲି ଯେ, ଦଳ ସର୍ବୋପରି ବୋଲି ହରମନପ୍ରୀତ ଏଭଳି ଭାବବିହ୍ବଳ ପୋଷ୍ଟ କରିଛନ୍ତି। ହରମନପ୍ରୀତ ୨୦୧୬ରେ ପ୍ରଥମ ଥର ଟି୨୦ ଦଳର ଅଧିନାୟିକା ଦାୟିତ୍ବ ନେଇଥିଲେ। ୧୫୫ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଭାରତର ନେତୃତ୍ବ ନେଇଥିଲେ। ଯେଉଁଥିରେ ଭାରତ ୯୨ଟି ମ୍ୟାଚ ଜିତିଥିବାବେଳେ ୫୭ଟିରେ ପରାଜିତ ହୋଇଛି। ୨୦୨୨ରେ ଦିନିକିଆ ଦଳର ନେତୃତ୍ବ ନେଇଥିଲେ। ସେ ଦିନିକିଆରେ ୫୧ଟି ମ୍ୟାଚରେ ନେତ୍ୃତ୍ବ ନେଇଥିବାବେଳେ ୩୦ଟିରେ ବିଜୟ ଓ ୧୯ଟିରେ ପରାଜୟର ସାମ୍ନା କରିଥିଲେ। ଏହାଛଡ଼ା ସେ ୫ଟି ଟେଷ୍ଟରେ ମଧ୍ୟ ଭାରତର ନେତୃତ୍ବ ନେଇଛଛନ୍ତି।

Leave a comment