ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଟେକା ମାଡ଼,କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଏସପି ଅଫିସ ଆଗରେ ବିଜେଡିର ଧାରଣା

ଯାଜପୁର ଜିଲ୍ଲା ଧର୍ମଶାଳାରେ ଉତ୍ତେଜନା। ଏସପି ଅଫିସ ଆଗରେ ବିଜେଡିର ଧାରଣା । ସେପଟେ ଜେନାପୁର ଥାନା ଆଗରେ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଏହାକୁ ନେଇ ସରଗରମ ହୋଇଛି ଧର୍ମଶାଳା ରାଜନୀତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଟେକା ମାଡ଼ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଏସପିଙ୍କୁ ଭେଟିଥିଲେ ବିଜେଡି ନେତା ।

ଏସପିଙ୍କ ସହ ଆଲୋଚନା ବିଫଳ ହୋଇଛି ଫଳରେ ଧାରଣାରେ ବସିଲେ ବିଜେଡି ନେତା। ପୂର୍ବତନ ବିଧାୟକ ପ୍ରଣବ ବଳ ରାୟ, ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡାଇ, ବିଧାୟକ ବିଶ୍ୱରଂଜନ ମଲିକ, ପ୍ରମିଳା ମଲିକ, ସୁଜାତା ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି ଧାରଣାରେ ବସିଛନ୍ତି । ବିଜେଡି ପଦଯାତ୍ରା କାର୍ଯକ୍ରମ ଚାଲିଥିବା ବେଳେ ପ୍ରଣବ ଜେନାପୁର ଅଞ୍ଚଳରେ କର୍ମୀ ସମାବେଶ କରୁଥିଲେ । ସେହି ସମୟରେ ଅଚାନକ କିଛି ଲୋକ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପ୍ରଣବଙ୍କ ଗାଡି ଉପରକୁ ପାନଚ୍ଛେପ ଓ ଟେକା ମାରି ଭଙ୍ଗା ରୁଜା କରିଥଲେ। ପୋଲିସ ଉପସ୍ଥିତିରେ ଏହି ଆକ୍ରମଣ  ହୋଇଥିବା ଅଭିଯୋଗ ହୋଇଛି ।

ସେପଟେ ଏହି ଘଟଣାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେପଟେ ବିଜେପି କର୍ମୀ ଜେନାପୁର ଥାନା ଆଗରେ ଏକାଠି ହୋଇ ପ୍ରଣବଙ୍କ ବିରୁଦ୍ଧରେ ନାରାବାଜି କରୁଥିବା ଦେଖିବାକୁ ମିଳିଛି। ମୋଦିଙ୍କ ଜନ୍ମ ଦିନ ଅବସରରେ ଆରମ୍ଭ ହୋଇଥିବା ସେବା ସଂକଳ୍ପ ସମାବେଶ ପାଳନ ପାଇଁ ବିଜେପି କର୍ମୀ ଏକାଠି ହୋଇଥିବା ବେଳେ ପ୍ରଣବ ଓ ତାଙ୍କର ସମର୍ଥକ ଗଣ୍ତଗୋଳ ଭିଆଇଥିବା ଅଭିଯୋଗ କରିଛନ୍ତି । ଏନେଇ ଜେନାପୁର ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।

Leave a comment