ଏଭରେଷ୍ଟର ଜିରାଗୁଣ୍ଡ ପ୍ୟାକେଟ୍କୁ ରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ କୀଟନାଶକ ଅବଶିଷ୍ଟ୍ୟ ଠାବ, ପ୍ରି-ପ୍ୟାକ୍ ହୋଇଥିବା ଏକ ବ୍ୟାଚ୍କୁ ବଜାରରୁ ଫେରାଇ ଆଣିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି ଏଫ୍ଏସ୍ଏସ୍ଏଆଇ
ଦେଶରେ ବିକ୍ରି ହେଉଥିବା ପକେଟ୍ ଖାଦ୍ୟ ଠାରୁ ଆରମ୍ଭ କରି ମସଲା ସାମଗ୍ରୀ ପର୍ଯ୍ୟନ୍ତ, ପ୍ରାୟ ଅନେକ ପ୍ରଡକ୍ଟ ଏବେ ସୁରକ୍ଷା ଯାଞ୍ଚରେ ଫେଲ୍ ମାରୁଛି। ତେଣୁ କମ୍ପାନୀଗୁଡ଼ିକ କିଭଳି ଲାଭଖୋର ମାନସିକତା ରଖି ବର୍ଷ ବର୍ଷ ଧରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲେ ତାର ବିକଳ ଚିତ୍ର ସାମ୍ନାକୁ ଆସୁଛି।
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(FSSAI) ଯେଉଁ କମ୍ପାନୀ ଉପରେ ଚଢ଼ାଉ କରୁଛି ସେହି କମ୍ପାନୀର ପ୍ରଡକ୍ଟ ନିମ୍ନ ମାନର ବାହାରୁଛି। ଆଉ ଏବେ ଏଫ୍ଏସ୍ଏସ୍ଏଆଇ କବଳରେ ପଡ଼ିଛି ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍। କମ୍ପାନୀର ଜିରା ପାଉଡରର ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ଜଣାପଡ଼ିଛି। ତେଣୁ ପ୍ରି-ପ୍ୟାକ୍ ହୋଇଥିବା ଏକ ବ୍ୟାଚ୍କୁ ବଜାରରୁ ଫେରାଇ ଆଣିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି ଏଫ୍ଏସ୍ଏସ୍ଏଆଇ।
ଏହା ବ୍ୟତୀତ, ଗ୍ରାହକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉଲ୍ଲଂଘନର ଆଉ ଏକ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, FSSAI ତୁରନ୍ତ ପ୍ରଭାବରୁ ମେସର୍ସ କ୍ରିଏଟିଭ୍ ବେକର୍ସ ଆଣ୍ଡ୍ କନଫେକ୍ସନର୍ସ ପ୍ରାଇଭେଟ୍ ଲିମିଟେଡର ଲାଇସେନ୍ସକୁ ନିଲମ୍ବିତ କରିଛି।
ଏଭରେଷ୍ଟର ଜିରାଗୁଣ୍ଡ ପ୍ୟାକେଟ୍କୁ ନେଇ ଲ୍ୟାବରେ ପରୀକ୍ଷା କରାଯାଇଥିଲା। ଏଥିରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ କୀଟନାଶକ ଅବଶିଷ୍ଟ୍ୟ ମିଳିଥିଲା। ଏହାପରେ ଖାଦ୍ୟ ସୁରକ୍ଷା ବିଭାଗ ଏଭରେଷ୍ଟ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ସେହିପରି ଏକାଧିକ ବେକେରୀରେ ସଂସ୍ଥାରେ ପରିଷ୍କାର ପରିଚ୍ଛନ୍ନତା, ଏବଂ ଖାଦ୍ୟ ସୁରକ୍ଷାରେ ଅନେକ ଗୁରୁତର ତ୍ରୁଟି ଦେଖାଯିବା ପରେ ସେମାନଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଗୋଆରୁ ନିଆଗଲା ସାମ୍ପଲ
ଗୋଆର ମେସର୍ସ ରିଭରସାଇଡ୍ ରିସର୍ଟସ୍ ଆଣ୍ଡ ହଲିଡେ ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ ପରିସରରୁ ଏଭରେଷ୍ଟ ଜିରା ପାଉଡରର ସାମ୍ପଲ ନିଆଯାଇଥିଲା। ଏହାର ଯାଞ୍ଚ ପରେ ଏଥିରେ ଆଜୋକ୍ସିଷ୍ଟ୍ରୋବିନ ଏବଂ ଥିଆମେଥୋକ୍ସାମର କୀଟନାଶକ ଅବଶିଷ୍ଟ୍ୟ ଅନୁମୋଦିତ ସୀମା (MRL) ଠାରୁ ଅଧିକ ମିଳିଥିଲା।
ଖାଦ୍ୟ ବିଶ୍ଳେଷକ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ,୨୦୦୬ ଅନୁଯାୟୀ ନମୁନାକୁ ଅସୁରକ୍ଷିତ ଘୋଷଣା କରିବା ପରେ, କମ୍ପାନୀକୁ ରିପୋର୍ଟକୁ ଚ୍ୟାଲେଞ୍ଜ କରିବା ପାଇଁ ସୁଯୋଗ ଦିଆଯାଇଥିଲା।