ଏସଆଇଆରକୁ ନେଇ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି;ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ BLO

ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ଶନିବାର ସ୍ପଷ୍ଟୀକରଣ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ମଧ୍ୟରେ ମତଭେଦ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଆୟୋଗ କହିଛନ୍ତି ଯେ, ସାରା ଦେଶରେ ଚାଲିଥିବା ଏସଆଇଆର ପ୍ରକ୍ରିୟା ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି। ୨୦୨୫ ଜୁନ୍ ୨୪ରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଜାରି ହୋଇଥିବା SIR ଆଦେଶକୁ ସମସ୍ତ ଆୟୁକ୍ତ ମଞ୍ଜୁରୀ ଦେଇଥିଲେ ଏବଂ ୨୦୨୬ ମେ ୨୭ରେ ସୁପ୍ରିମକୋର୍ଟ ମଧ୍ୟ ଏହି ଆଦେଶକୁ କାଏମ ରଖିଥିଲେ। ଏହାସହ ବୁଥ୍ ଲେଭଲ୍ ଅଫିସର (BLO) ଓ ଆଇଟି (IT) ବିଭାଗକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ଆୟୋଗ ସ୍ପଷ୍ଟୀକରଣ ଦେଇଛନ୍ତି।

ସାଧାରଣ ଭୋଟରଙ୍କ ସୁବିଧା ପାଇଁ ନିର୍ବାଚନ ଆୟୋଗ କେତେକ ନୂତନ ନିୟମ ଓ ପଦକ୍ଷେପ ଘୋଷଣା କରିଛନ୍ତି। SIR ସମୟରେ ନୋଟିସ୍ ପାଇଥିବା କିମ୍ବା ତ୍ରୁଟି ଥିବା ଭୋଟରମାନଙ୍କୁ ସାଧାରଣତଃ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଙ୍କ ନିକଟରେ ହାଜର ହେବାକୁ ପଡ଼ିବ ନାହିଁ। BLO ମାନେ ନିଜେ ଭୋଟରଙ୍କ ଘରକୁ ଯାଇ ଆବଶ୍ୟକୀୟ ଦସ୍ତାବିଜ୍ ସଂଗ୍ରହ କରିବେ ଏବଂ ତାହାକୁ ECINet ରେ ଅପଲୋଡ୍ କରିବେ। କେବଳ ବ୍ୟତିକ୍ରମ ଥିବା କ୍ଷେତ୍ରରେ ହିଁ ଶୁଣାଣି କରାଯିବ, ଯାହା ମୁଖ୍ୟତଃ ଅନଲାଇନ୍ ମାଧ୍ୟମରେ ହେବ।

ଭୋଟରଙ୍କ ଅନୁମତିକ୍ରମେ ତାଙ୍କ ପରିବାରର ଜଣେ ବୟସ୍କ ସଦସ୍ୟ ମଧ୍ୟ ଏହି ଶୁଣାଣିରେ ଭାଗ ନେଇପାରିବେ। ଏହାବ୍ୟତୀତ ବାସହୀନ, ଶ୍ରମିକ, ଗରିବ ଓ ରାତ୍ରି ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ହେଲ୍ପ ଡେସ୍କ ଓ ସ୍ୱତନ୍ତ୍ର କ୍ୟାମ୍ପ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିହାର ଓ ପଶ୍ଚିମବଙ୍ଗ ସମେତ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ SIR ପ୍ରକ୍ରିୟା ଶେଷ ହୋଇସାରିଛି। ଯେଉଁ ଯୋଗ୍ୟ ଭୋଟର କିମ୍ବା ନୂତନ ଯୁବ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଯାଇଛି, ସେମାନେ ନିରନ୍ତର ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ERO ଙ୍କ ନିକଟରେ ଆବେଦନ କରିପାରିବେ। ଅପରପକ୍ଷରେ, କ୍ୟାବିନେଟ୍ ସଚିବଙ୍କୁ ଲେଖାଯାଇଥିବା ଚିଠି ବିଷୟରେ ସ୍ପଷ୍ଟ କରି ଆୟୋଗ କହିଛନ୍ତି ଯେ ଏହା କୌଣସି ନୀତିଗତ ନିଷ୍ପତ୍ତି ନୁହେଁ, ବରଂ ଡେପୁଟେସନ୍‌ରେ ଥିବା ଜଣେ ଅଫିସରଙ୍କ କାର୍ଯ୍ୟଶୈଳୀ ସହ ଜଡ଼ିତ ଥିଲା।

ଆଗାମୀ ଦିନରେ IT ପ୍ରକଳ୍ପଗୁଡ଼ିକର ଯାଞ୍ଚ ପାଇଁ IIT/IIIT ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ସେହିପରି ଦିଲ୍ଲୀରେ ଦାବି ଓ ଆପତ୍ତି ଦାଖଲର ସମୟସୀମା ଅକ୍ଟୋବର ୩୦ ପର୍ଯ୍ୟନ୍ତ ଏବଂ ମହାରାଷ୍ଟ୍ରରେ ଅକ୍ଟୋବର ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ନିର୍ବାଚନ ଆୟୋଜ ସ୍ପଷ୍ଟ କରିଛନ୍ତି

Leave a comment