ଜୁହୁ ବେଳାଭୂମିରେ ସଫେଇ ଅଭିଯାନରେ ଭାଗ ନେଲେ ବଲିଉଡ୍ ଅଭିନେତା ଅଜୟ ଦେବଗନ୍,ଅମୃତା ଫଡନବୀସଙ୍କ ସହ ମିଶି ବିଚ୍ କଲେ ସଫା
ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍ ୩’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅଜୟଙ୍କ ଏହି ଫିଲ୍ମ ଅକ୍ଟୋବର ୨ ତାରିଖରେ ସିନେମା ହଲ୍ରେ ରିଲିଜ୍ ହେବାକୁ ଯାଉଛି । ତେବେ ଫିଲ୍ମ ରିଲିଜ୍ ପୂର୍ବରୁ ଅଜୟ ଏକ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ପତ୍ନୀ ତଥା ‘ଦିବ୍ୟାଜ ଫାଉଣ୍ଡେସନ୍’ର ପ୍ରତିଷ୍ଠାତା ଅମୃତା ଫଡନବୀସଙ୍କ ସହ ଅଜୟ ମୁମ୍ବାଇର ଜୁହୁ ବେଳାଭୂମିରେ ସଫେଇ ଅଭିଯାନରେ ଭାଗ ନେଇଥିଲେ । ଅଜୟ ଓ ଅମୃତା ଫଡନବୀସ ମିଶି ଜୁହୁ ବେଳାଭୂମିକୁ ସଫା କରିଥିଲେ । ଅଜୟ ଦେବଗନ୍ ଦିବ୍ୟାଜ ଫାଉଣ୍ଡେସନ୍ର ‘ସି ଶୋର୍ ସାଇନ୍ ୨୦୨୬’ ଅଭିଯାନରେ ସାମିଲ ହୋଇଛନ୍ତି । ଗଣେଶ ବିସର୍ଜନ ପରେ ଏହାକୁ ମୁମ୍ବାଇର ସବୁଠାରୁ ବଡ଼ ବେଳାଭୂମି ସଫେଇ ଅଭିଯାନ ବୋଲି କୁହାଯାଉଛି । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ଏକାଠି କରି ସ୍ୱଚ୍ଛ ବେଳାଭୂମି ଓ ପରିବେଶ ପ୍ରତି ଦାୟିତ୍ୱବାନ ଭବିଷ୍ୟତକୁ ପ୍ରୋତ୍ସାହିତ କରିବା । ସଫେଇ ଅଭିଯାନର ଭିଡିଓଗୁଡ଼ିକ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଅଜୟ ଦେବଗନ୍ ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ଗଣେଶ ବିସର୍ଜନ ପରେ ବେଳାଭୂମିରେ ପଡ଼ିଥିବା ଆବର୍ଜନା ସଂଗ୍ରହ କରି ପ୍ଲାଷ୍ଟିକ୍ ବ୍ୟାଗ୍ରେ ରଖୁଥିବା ଦେଖିବାକୁ ମିଳିଛି । ଅମୃତା ଫଡନବୀସ ମଧ୍ୟ ବେଳାଭୂମି ସଫା କରୁଥିବା ନଜର ଆସିଛନ୍ତି । ଏହାରି ମଧ୍ୟରେ ଅଜୟ ଦେବଗନ୍ କହିଥିଲେ, “ଯେପରି ଆମେ ନିଜ ଘରକୁ ଭଲ ପାଉ ଏବଂ ତାହାକୁ ସଫା ରଖୁ, ମୋତେ ଲାଗୁଛି ଆମେ ନିଜ ଦେଶ, ସହର ଓ ସମୁଦ୍ରକୁ ମଧ୍ୟ ଭଲ ପାଉ। ତେବେ ଏହା ଆମର ମଧ୍ୟ ଦାୟିତ୍ୱ ନୁହେଁ କି?”
ଅଜୟ ନାଗରିକମାନଙ୍କୁ ନିଜ ଆଖପାଖରେ ସ୍ୱଚ୍ଛତା ବଜାୟ ରଖିବାର ବ୍ୟକ୍ତିଗତ ଦାୟିତ୍ୱ ନେବାକୁ ମଧ୍ୟ ଅପିଲ୍ କରିଛନ୍ତି । ସେ ଆହୁରି କହିଥିଲେ, “ଯେପର୍ଯ୍ୟନ୍ତ ଆମେ ନିଜେ ନିଷ୍ପତ୍ତି ନେବା ନାହିଁ ଯେ ଆମ ସହର ଓ ଦେଶକୁ ସ୍ୱଚ୍ଛ ରଖିବାକୁ ହେବ, ସେପର୍ଯ୍ୟନ୍ତ କିଛି ବଦଳିବ ନାହିଁ ।” ଅଜୟ ଦେବଗନ୍ ଏବେ ତାଙ୍କ ଫିଲ୍ମ ‘ଦୃଶ୍ୟମ୍: ଦ କଙ୍କ୍ଲୁଜନ୍’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ଜୟଦୀପ ଅହଲାୱତ୍, ତବୁ, ଶ୍ରିୟା ସରନ୍, ରଜତ କପୁର, ପ୍ରକାଶ ରାଜ, ଇଶିତା ଦତ୍ତା ଏବଂ ମୃଣାଳ ଯାଦବ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି ।