ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣରେ ଥରିଲା ପାକିସ୍ତାନ,୧୧ ମୃତ ୩୦ରୁ ଅଧିକ ଲୋକ ଗୁରୁତର
ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣରେ ଥରିଲା ପାକିସ୍ତାନ । ଶନିବାର ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପାଖ୍ତୁନଖ୍ୱାର ଡେରା ଇସମାଇଲ ଖାନ ଜିଲ୍ଲାରେ ଏକ ଭୟାବହ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏଥିରେ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆତଙ୍କବାଦୀ ଜଣକ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ସାହାଯ୍ୟରେ ରାସ୍ତା କଡ଼ରେ ଥିବା ଏକ ପୋଲିସ ଚେକପୋଷ୍ଟକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟାଇଥିଲା । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସ୍ଥାନୀୟ ମାଡିକାଲରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।ତେବେ ଏହି ବର୍ବରୋଚିତ ଆକ୍ରମଣ ପାଇଁ ପାକିସ୍ତାନୀ ତାଲିବାନ ବା ‘ତେହରିକ-ଏ-ତାଲିବାନ ପାକିସ୍ତାନ’ (TTP) ନିଜକୁ ଦାୟୀ କରିଛି । ଏକ ବିବୃତି ଜାରି କରି ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଥାଉକି, ବିଗତ କିଛି ବର୍ଷ ହେବ ପାକିସ୍ତାନରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଟିଟିପି (TTP) ଏବଂ ବାଲୋଚ ଲିବରେସନ ଆର୍ମି (BLA) ଭଳି ପ୍ରତିବନ୍ଧିତ ସଂଗଠନଗୁଡ଼ିକ ସେଠାକାର ସୁରକ୍ଷାକର୍ମୀଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରୁଛନ୍ତି ।