ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପିଇଓ କାର୍ତ୍ତିକେଶ୍ୱର ବେହେରା ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ପିଇଓ ନାମ କାର୍ତ୍ତିକେଶ୍ୱର ବେହେରା । ଗତକାଲିଠାରୁ ତାଙ୍କର ପୈତୃକ ବାସଭବନ, ବାସସ୍ଥାନ, ମାର୍କେଟ କମ୍ପ୍ଲେକ୍ସ ଏବଂ ଗୋଦାମ ସମେତ ସମୁଦାୟ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଚଢ଼ଉ ଓ ହିସାବ ସରିବା ପରେ ତାଙ୍କର ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୮୫ ଲକ୍ଷ ଟଙ୍କାରୁ ଅଧିକ ଆକଳନ କରାଯାଇଛି ।  ଯାହା ମଧ୍ୟରେ ୨ କୋଟି ୬୨ ଲକ୍ଷ ୭୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ।

ଏହା ତାଙ୍କର ଆୟ ଉତ୍ସ ତୁଳନାରେ ୩୦୦ ପ୍ରତିଶତରୁ ଅଧିକ । ୧୯୯୪ ମସିହାରେ ମାତ୍ର ୫୦୦ ଟଙ୍କା ମାସିକ ବେତନରେ ପଞ୍ଚାୟତ ସେକ୍ରେଟାରୀ ଭାବେ ଚାକିରି ଆରମ୍ଭ କରିଥିଲେ । ଏହି ଅଧିକାରୀ ନିଜର, ପତ୍ନୀଙ୍କ ଓ ପିଲାମାନଙ୍କ ନାମରେ ବିପୁଳ ସମ୍ପତ୍ତି ଠୁଳ କରିଥିଲେ । ତାଙ୍କ ନାମରେ ବହୁମୂଲ୍ୟ ଜମି ପ୍ଲଟ୍, ଗାଡ଼ିମଟର ମିଳିଥିବା ବେଳେ ବ୍ୟାଙ୍କ ଖାତା, ବୀମା ଏବଂ ସେୟାର ବଜାର ନିବେଶ ଉପରେ ତଦନ୍ତ ଜାରି ରହିଛି । ସନ୍ତୋଷଜନକ ଉତ୍ତର ଓ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାରେ ବିଫଳ ହୋଇଥିଲେ । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯିବା ସହ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି।

 

Leave a comment