ଡବ୍ଲ୍ୟୁସିପିଏଲ୍ ଖେଳିବାକୁ ଯାଉଛନ୍ତି ଭାରତୀୟ ମହିଳା ଦଳର ୱିକେଟ୍ ରକ୍ଷକ ବ୍ୟାଟର ସୁଷମା ବର୍ଗା
ଭାରତୀୟ ମହିଳା ଦଳର ୱିକେଟ୍ ରକ୍ଷକ ବ୍ୟାଟର ସୁଷମା ବର୍ଗା ମହିଳା କ୍ୟାରିବିୟାନ ପ୍ରିମିୟର ଲିଗ୍ (ଡବ୍ଲ୍ୟୁସିପିଏଲ୍) ଖେଳିବାକୁ ଯାଉଛନ୍ତି। ଅନ୍ୟ ଭାରତୀୟ ୱିକେଟ୍ ରକ୍ଷକ ବ୍ୟାଟର ୟାସ୍ତିକା ଭାଟିଆଙ୍କ ସ୍ଥାନରେ ସୁଷମା ଟ୍ରିନ୍ବାଗୋ ନାଇଟ୍ ରାଇଡର୍ସ (ଟିକେଆର୍) ଦଳରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତ ‘ଏ’ ଦଳର ନେତୃତ୍ବ ନେବା ଲାଗି ୟାସ୍ତିକା ଭାରତ ଫେରି ଆସିଛନ୍ତି। ତାଙ୍କ ସ୍ଥାନ ନେଇଛନ୍ତି ସୁଷମା ବର୍ମା। ଭାରତ ପାଇଁ ସୁଷମା ଗୋଟିଏ ଟେଷ୍ଟ, ୪୩ଟି ଦିନିକିଆ ଓ ୧୯ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଛନ୍ତି। କେବଳ ଫାଇନାଲ ମ୍ୟାଚ୍ ଖେଳିବା ପାଇଁ ସୁଷମା ଟିକେଆର୍ ଦଳରେ ସ୍ଥାନ ପାଇଛନ୍ତି। ପଏଣ୍ଟ ଟେବୁଲ ଶୀର୍ଷରେ ରହି ଟିକେଆର୍ ଫାଇନାଲରେ ପହଞ୍ଚି ସାରିଛି। ବାର୍ବାଡୋଜ୍ ଟ୍ରାଇଡେଣ୍ଟ୍ସ ଓ ଗାୟନା ଆମାଜନ ୱାରିଅର୍ସ ମଧ୍ୟରେ ପ୍ଲେଅଫ୍ ମ୍ୟାଚ୍ ବୁଧବାର ଖେଳାଯିବ। ଏହାର ବିଜେତା ବିପକ୍ଷରେ ଗୁରୁବାର ରାତିରେ ଟିକେଆର୍ ଫାଇନାଲ ମ୍ୟାଚ୍ ଖେଳିବ। ୨୦୨୩ରେ ଦକ୍ଷିଣ ଆଫ୍ରିକାରେ ଟ୍ବେଣ୍ଟି୨୦ ତ୍ରିରାଷ୍ଟ୍ରୀୟ ପରେ ସୁଷମା ଭାରତ ପାଇଁ ଖେଳିନାହାନ୍ତି। ୬ଷ୍ଠ ଭାରତୀୟ ଭାବେ ସୁଷମା ଡବ୍ଲ୍ୟୁସିପିଏଲ୍ ଖେଳିବେ। ୟାସ୍ତିକାଙ୍କ ସହ ଶିଖା ପାଣ୍ଡେ, କିରଣ ନାଭ୍ଗିରେ, ପୂଜା ବସ୍ତ୍ରାକର ଓ ହର୍ଲିନ ଦେଓଲ ଡବ୍ଲ୍ୟୁସିପିଏଲ୍ ଖେଳି ସାରିଛନ୍ତି।