ଜୁନିୟର ମହିଳା ହକି ଏସିଆ କପ୍: ୫-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ଭାରତ
ଓଡ଼ିଆ ତାରକା ସୁପ୍ରିୟା କୁଜୁରଙ୍କ ହ୍ୟାଟ୍ରିକ୍ ଗୋଲ ବଳରେ ଭାରତ ଜୁନିୟର ମହିଳା ହକି ଏସିଆ କପ୍ର ଫାଇନାଲରେ ପହଞ୍ଚିଛି। ଶନିବାର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ଭାରତ ୫-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି କ୍ରମାଗତ ତୃତୀୟ ଓ ଚତୁର୍ଥ ଥର ପାଇଁ ଫାଇନାଲରେ ପହଞ୍ଚିଛି। ରବିବାର ଭାରତ ଫାଇନାଲରେ ଚୀନକୁ ଭେଟିବ। ଦ୍ବିତୀୟ ସେମିଫାଇନାଲରେ ଚୀନ୍ ୬-୦ ଗୋଲରେ ଜାପାନକୁ ହରାଇ ଫାଇନାଲରେ ପହଞ୍ଚିଛି।ଭାରତ ପ୍ରତିପକ୍ଷ ଦକ୍ଷିଣ କୋରିଆ ଉପରେ ପ୍ରଥମରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୧୩ ମିନିଟ୍ରେ ଭାରତ ପକ୍ଷରୁ ମଧୁ ସିଦରା ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। ୧୭ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ସୁପ୍ରିୟା ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ୨୧ ମିନିଟ୍ରେ ଭାରତ ତୃତୀୟ ଗୋଲ ଦେଇଥିଲା। ସୁଖବୀର କୌର ଏହି ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା। ୩୩ ମିନିଟ୍ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ସୁପ୍ରିୟା ଗୋଲ୍ରେ ପରିଣତ କରି ଦଳକୁ ୪-୦ରେ ଆଗୁଆ କରିଥିଲେ। ଦକ୍ଷିଣ କୋରିଆ ଗୋଲ ଦେବାକୁ ଘନଘନ ଆକ୍ରମଣ କରିଥିଲା। ୪୧ ମିନିଟ୍ରେ ଦକ୍ଷିଣ କୋରିଆକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁୂ ୟୁରି ଜୋଙ୍ଗ ଗୋଲରେ ପରିଣତ କରି ମ୍ୟାଚକୁ ୧-୪ ସ୍ତରକୁ ଆଣିଥିଲେ। ଅନ୍ତିମ କ୍ବାର୍ଟରରେ ଦକ୍ଷିଣ କୋରିଆ ଗୋଲ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ୫୬ ମିନିଟ୍ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ସୁପ୍ରିୟା ଗୋଲରେ ପରିଣତ କରି ଦଳକୁ ୫-୧ ଗୋଲେର ବିଜୟୀ କରାଇଥିଲେ। ଭାରତ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବ। ପୂର୍ବରୁ ଭାରତ ୩ଥର ଫାଇନାଲ ଖେଳିଥିଲା। ସେଥିମଧ୍ୟରୁ ୨୦୧୨ରେ ଚୀନ୍ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିବାବେଳେ ୨୦୨୩ରେ ଦକ୍ଷିଣ କୋରିଆ ଓ ୨୦୨୪ରେ ଚୀନକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା।