‘ବିଗ୍ ବସ୍ ୨୦’: ଏକ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ବିରୋଧର ଶିକାର ପରେ କ୍ଷମା ପ୍ରାର୍ଥନା କଲେ ମହିଳା ବକ୍ସିଂ ତାରକା ମେରି କମ

ରିଆଲିଟି ସୋ ‘ବିଗ୍ ବସ୍ ୨୦’ (Bigg Boss 20) ରେ ଅଂଶଗ୍ରହଣ କରିଥିବା ଭାରତର ମହିଳା ବକ୍ସିଂ ତାରକା ତଥା ଅଲିମ୍ପିକ୍ ପଦକ ବିଜେତା ମେରି କମଙ୍କ ଏକ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ବିରୋଧ ହୋଇଛି। ଅନ୍ୟ ମହିଳା ଆଥଲେଟମାନଙ୍କ ସଫଳତା ପ୍ରତି ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ ପରେ, ମେରୀ କମଙ୍କ ଟିମ୍ ପକ୍ଷରୁ ଏକ ବିବୃତ୍ତି ଜାରି କରି ସ୍ପଷ୍ଟୀକରଣ ସହ କ୍ଷମା ପ୍ରାର୍ଥନା କରାଯାଇଛି । ବିଗ୍ ବସ୍ ୨୦ ଘର ଭିତରେ ସହ-ପ୍ରତିଯୋଗୀ କାଜୀ ତୌକୀରଙ୍କ ସହ ଆଲୋଚନା ସମୟରେ, ଅନ୍ୟ ମହିଳା ଆଥଲେଟମାନଙ୍କ ପ୍ରଶଂସା ଚାଲିଥିବା ବେଳେ ମେରି କମ୍ ନିଜର ସଫଳତା ଓ ରେକର୍ଡକୁ ନେଇ ତୁଳନାତ୍ମକ କଥା କହିଥିଲେ। ଦର୍ଶକ ଏବଂ ଫ୍ୟାନସଙ୍କ ଅନୁଯାୟୀ, ମେରି କମଙ୍କ ଏହି ଟିପ୍ପଣୀ ଅନ୍ୟ ଭାରତୀୟ ମହିଳା ଖେଳାଳିମାନଙ୍କ ଅବଦାନକୁ ଛୋଟ ଦେଖାଇବା ପରି ମନେହୋଇଥିଲା। ଅନେକ ବ୍ୟବହାରକାରୀ ତାଙ୍କୁ ‘ଅହଂକାରୀ’ ବୋଲି କହିବା ସହ ଜଣେ କ୍ରୀଡ଼ାବିତ୍ ଭାବରେ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେବା ଉଚିତ୍ ବୋଲି ମତ ଦେଇଥିଲେ। ସୋସିଆଲ ମିଡିଆରେ କ୍ରମାଗତ ଟ୍ରୋଲ୍ ଓ ସମାଲୋଚନା ପରେ, ମେରି କମଙ୍କ ଟିମ୍ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି । ଟିମ୍ କହିଛି ଯେ ମେରୀ କମଙ୍କ କଥାର ଅର୍ଥ ଅନ୍ୟ କୌଣସି ଆଥଲେଟ୍ କିମ୍ବା ଖେଳାଳିଙ୍କୁ ଛୋଟ କରିବା ନଥିଲା। ପ୍ରତ୍ୟେକ ଆଥଲେଟଙ୍କ ସଫଳତା ଏବଂ ଦେଶ ପାଇଁ ଆଣିଥିବା ପ୍ରତ୍ୟେକ ପଦକ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ମେରି କମ୍ ସର୍ବଦା ଭାରତୀୟ କ୍ରୀଡ଼ାବିତମାନଙ୍କୁ ସମ୍ମାନ ଦେଇଆସିଛନ୍ତି। ଯଦି ତାଙ୍କ ମନ୍ତବ୍ୟ ଯୋଗୁଁ କୌଣସି ଖେଳପ୍ରେମୀ କିମ୍ବା ବ୍ୟକ୍ତିବିଶେଷଙ୍କ ମନରେ ଆଘାତ ପହଞ୍ଚିଛି, ତେବେ ସେଥିପାଇଁ ତାଙ୍କ ଟିମ୍ କ୍ଷମା ପ୍ରାର୍ଥନା କରୁଛି ।

Leave a comment