ମା’ ରମେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି,ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି
ଠାକୁରାଣୀ ମନ୍ଦିରରୁ ଲୁଟ୍ । ନେଇଗଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । ଏମିତି କିଛି ଅଘଟଣ ଘଟିଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ । ସ୍ଥାନୀୟ ମା’ ରମେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଯାଇଛି।
ପ୍ରତିଦିନ ଭଳି ଗୁରୁବାର ସକାଳେ ଯେତେବେଳେ ପୂଜକ ମା’ଙ୍କ ନୀତିକାନ୍ତି ପାଇଁ ମନ୍ଦିରକୁ ଆସିଥିଲେ, ସେତେବେଳେ ମୁଖ୍ୟ କବାଟର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ମନ୍ଦିର ଭିତରେ ମା’ଙ୍କ ରୁପା ମୁକୁଟ, ସୁନା ଗହଣା ଗାଏବ ଥିବା ବେଳେ ଟ୍ରଙ୍କଟି ଖୋଲା ପଡ଼ିଥିଲା। ପୂଜକ ତୁରନ୍ତ ଏ ନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗୋପ ପୋଲିସକୁ ଖବର ଦିଆଯାଇଥିଲା।ଖବର ପାଇ ଗୋପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଅଞ୍ଚଳରେ ଦିନକୁ ଦିନ ମନ୍ଦିର ଚୋରି ମାମଲା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସର ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି।