ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
ମା’କୁ ଖୋଜୁଛନ୍ତି, ହେଲେ ମିଳୁନି ମା’ର ସନ୍ଧାନ । ଆଉ ଏହି ବିଚ୍ଛେଦର ଚାପ ଏବେ ଘାରିଛି ଓରାଂଉଟାନ୍ଙ୍କୁ । ଜ୍ୱର କମିଥିଲେ ମଧ୍ୟ ପୂର୍ବଭଳି ଆକ୍ଟିଭ୍ ହେଉନାହାନ୍ତି ୫ ଓରାଂଉଟାନ୍ । ମା’କୁ ଖୋଜିବାର ମାନସିକ ଚାପ ଏବେ ସେମାନଙ୍କ ଆଚରଣରେ ବି ସ୍ପଷ୍ଟ ହେଉଛି ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଛନ୍ତି ।
ନନ୍ଦନକାନନ ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ କହିଛନ୍ତି, ଏବେ ଏମାନଙ୍କୁ ଏକାଠି ରଖାଯାଇଛି । ପରସ୍ପରର ସାଙ୍ଗ ହୋଇ ରହିବା ସହ ଏକାଠି ଶୋଉଛନ୍ତି। ଷ୍ଟ୍ରେସ୍ କମାଇବା ପାଇଁ ଏବେ ବିଭିନ୍ନ ଖେଳନା ଦିଆଯାଉଛି । ଆଗକୁ ମ୍ୟୁଜିକ୍ ଥେରାପି ମଧ୍ୟ ଦିଆଯିବ। ଏବେ ସେମାନଙ୍କୁ ପ୍ରତି ଦୁଇ ଘଣ୍ଟାରେ ଖାଦ୍ୟ ଦିଆଯାଉଛି । କ୍ୱାରେଣ୍ଟାଇନ୍ରେ ଥିବା ଏହି ୫ ଓରାଂଉଟାନ୍ଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଇଛି। ପ୍ରତିଦିନ ସେମାନଙ୍କ ଆଚରଣ ଓ ଗତିବିଧିକୁ ନିରୀକ୍ଷଣ କରାଯାଉଛି ।
ଖାଇବାକୁ କଦଳୀ ସହ ପ୍ରତି ଦୁଇ ଘଣ୍ଟାରେ ସିଝା ଆଳୁ ଓ ସେଓ ଦିଆଯାଉଛି। ଷ୍ଟ୍ରେସ୍ କିଛିଟା କମିବା ପରେ ହିଁ ରକ୍ତ ନମୁନା ସଂଗ୍ରହ କରାଯିବ । ପ୍ରାୟ ୧୦ ଦିନ ପରେ ଡିଏନ୍ଏ ପରୀକ୍ଷା ପାଇଁ ରକ୍ତ ନମୁନା ନିଆଯିବ ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଏହାସହ ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଅନ୍ୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯିବ । ସେମାନଙ୍କ ମତାମତ ଓ ପରାମର୍ଶ ନିଆଯିବ ।