ବଲିଉଡର ଲୋକପ୍ରିୟ ଅଭିନେତା ଶରତ ସକ୍ସେନାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ,ନିଜର MRI ଫଟୋ ସୋସିଆଲ ମିଡିଆରେ କଲେ ସେୟାର
ବଲିଉଡର ଲୋକପ୍ରିୟ ଅଭିନେତା ଶରତ ସକ୍ସେନାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ । ଅଭିନେତା ସର୍ଜରୀ ପୂର୍ବରୁ ହସ୍ପିଟାଲରୁ ନିଜର MRI ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଶରତ ସକ୍ସେନା ସୋସିଆଲ ମିଡିଆରେ ୪ଟି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋଗୁଡ଼ିକ ମୁମ୍ବାଇର ବମ୍ବେ ହସ୍ପିଟାଲର MRI ରୁମ୍ର ବୋଲି ସେ ଜଣାଇଛନ୍ତି । ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଲୋକମାନେ ତାଙ୍କ ପାଇଁ ଶୁଭେଚ୍ଛା ପଠାଇଛନ୍ତି । ଶରତ ମଧ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
୭୦ ରୁ ୮୦ ଦଶକ ମଧ୍ୟରେ ବଲିଉଡ ଫିଲ୍ମରେ କାମ କରିଥିବା ଶରତଙ୍କ ମେରୁଦଣ୍ଡରେ ଯନ୍ତ୍ରଣା ଯୋଗୁଁ ମୁମ୍ବାଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ମେରୁଦଣ୍ଡ ତଳ ଅଂଶରେ ହେବାକୁ ଥିବା ସର୍ଜରୀ ପୂର୍ବରୁ ଏହି MRI କରାଯାଇଥିଲା । କିନ୍ତୁ ସେ ଶୋଇ ମେରୁଦଣ୍ଡର MRI କରିବା ସମ୍ଭବ ହୋଇନ ଥିବାରୁ ଠିଆ ହୋଇ ଏମଆରଆଇ କରିଛନ୍ତି । ଆଉ ଏହାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ତାଙ୍କ ଫ୍ୟାନ୍ସ ଚିନ୍ତାରେ ପଡିଛନ୍ତି ।
୧୯୭୪ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ବେନାମ ମାଧ୍ୟମରେ ସେ ଫିଲ୍ମ ଜଗତରେ ପାଦ ରଖିଥିଲେ । ନିଜର ଦମଦାର ବ୍ୟକ୍ତିତ୍ୱ ଓ ପ୍ରଭାବଶାଳୀ ଅଭିନୟ ଯୋଗୁଁ ସେ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ଲାଭ କରିଥିଲେ । ଦୀର୍ଘ ଫିଲ୍ମ କ୍ୟାରିୟରରେ ଶରତ ସକ୍ସେନା କେବଳ ଖଳନାୟକ ଚରିତ୍ରରେ ସୀମିତ ରହିନଥିଲେ । ସେ କମେଡି, ବାପା ଓ ବିଭିନ୍ନ ସହାୟକ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୫୦ରୁ ଅଧିକ ଫିଲ୍ମରେ କାମ କରିଥିବା ଶରତ ହିନ୍ଦୀ ସହିତ ତେଲୁଗୁ, ତାମିଲ ଓ ମାଲାୟାଲମ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
ମିଷ୍ଟର ଇଣ୍ଡିଆ, ବଜରଙ୍ଗୀ ଭାଇଜାନ୍, ହେରା ଫେରି, ଖିଲାଡ଼ି, ଘାୟଲ, ସୋଲଜର ଓ ବାଗବାନ୍ ଭଳି ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୟକୁ ସମସ୍ତେ ବହୁତ ପସନ୍ଦ କରନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ଫ୍ୟାନ୍ସ ଚିନ୍ତାରେ ରହିଛନ୍ତି ।