ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ମିଳିବ କ୍ରେଡିଟ୍ କାର୍ଡ,ଜାଣନ୍ତୁ ଏହି ଯୋଜନା ବିଷୟରେ

ପିଏମ୍ ସ୍ୱନିଧି କ୍ରେଡିଟ୍ କାର୍ଡ: କେନ୍ଦ୍ର ସରକାରଙ୍କର ଅନେକ ଯୋଜନା ରହିଛି ଯେଉଁଥିରେ ହିତାଧିକାରୀଙ୍କ ପାଇଁ ଋଣ କିମ୍ବା କ୍ରେଡିଟ୍ କାର୍ଡ ଜରିଆରେ ଟଙ୍କା ବ୍ୟବସ୍ଥା କରାଯାଏ । ଏହିପରି ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା । ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ କେବଳ ଋଣ ମିଳେ ନାହିଁ ବରଂ କ୍ରେଡିଟ୍ କାର୍ଡ ମଧ୍ୟ ଦିଆଯାଏ ।

ଯୋଜନା ବିଷୟରେ

କରୋନା କାଳରେ ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ତିନୋଟି ଭିନ୍ନ ଭିନ୍ନ କିସ୍ତିରେ ଋଣ ଦିଆଯାଏ । ଏହି ତିନୋଟି କିସ୍ତି ୧୫,୦୦୦ ଟଙ୍କା, ୨୫,୦୦୦ ଟଙ୍କା ଏବଂ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଏହା ବ୍ୟତୀତ, ଯୋଜନା ଅନ୍ତର୍ଗତ ସୁଧ ସବସିଡି, କ୍ରେଡିଟ୍ ଗ୍ୟାରେଣ୍ଟି ସହାୟତା ଏବଂ ଯୋଗ୍ୟ ବିକ୍ରେତାଙ୍କ ପାଇଁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ-ଲିଙ୍କଡ୍ ରୁପେ କ୍ରେଡିଟ୍ କାର୍ଡ ମଧ୍ୟ ଦିଆଯାଏ ।

କ୍ରେଡିଟ୍ କାର୍ଡର ଡିଟେଲ୍ସ

ଷ୍ଟ୍ରିଟ୍ ଭେଣ୍ଡରମାନଙ୍କ ପାଇଁ ଦିଆଯାଉଥିବା କ୍ରେଡିଟ୍ କାର୍ଡରେ ସର୍ବାଧିକ ୩୦,୦୦୦ ପର୍ଯ୍ୟନ୍ତ କ୍ରେଡିଟ୍ ଲିମିଟ୍ ମିଳିପାରିବ । ତେବେ, ଆରମ୍ଭରେ କାର୍ଡର ଅପରେଟିଂ ଲିମିଟ୍ ୧୦,୦୦୦ ରଖାଯିବ । କାର୍ଡର ବ୍ୟବହାର ଏବଂ ପେମେଣ୍ଟ ରେକର୍ଡକୁ ଦେଖି ଏହି ଲିମିଟକୁ ଧୀରେ ଧୀରେ ବଢ଼ାଇ ୩୦,୦୦୦ ପର୍ଯ୍ୟନ୍ତ କରାଯାଇପାରିବ ।

ଏହି କାର୍ଡର ଗୋଟିଏ ବଡ଼ ସୁବିଧା ଇଣ୍ଟରେଷ୍ଟ-ଫ୍ରି କ୍ରେଡିଟ୍ ପିରିୟଡ୍ (ସୁଧ-ମୁକ୍ତ ଅବଧି) । କାର୍ଡ ଜାରି କରୁଥିବା ସଂସ୍ଥାର ପ୍ରଚଳିତ ନୀତି ଅନୁଯାୟୀ ଗ୍ରାହକଙ୍କୁ ୨୦ରୁ ୫୦ ଦିନ ପର୍ଯ୍ୟନ୍ତ ସୁଧ-ମୁକ୍ତ ଅବଧି ମିଳିପାରେ । ଏହି ସମୟ ମଧ୍ୟରେ ବାକି ଥିବା ରାଶି ପରିଶୋଧ କଲେ ସୁଧରୁ ରିହାତି ମିଳିପାରିବ । ଯୋଜନା ଅଧୀନରେ କ୍ରେଡିଟ୍ କାର୍ଡର ବୈଧତା ଜାରି ହେବା ତାରିଖରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ହେବ । ଅର୍ଥାତ୍ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି କ୍ରେଡିଟ୍ ସୁବିଧାର ବ୍ୟବହାର କରିବାର ସୁଯୋଗ ମିଳିବ ।

ଏହା ବ୍ୟତୀତ, କ୍ରେଡିଟ୍ କାର୍ଡକୁ ହିତାଧିକାରୀଙ୍କ ୟୁପିଆଇ ଆଡି ସହ ଲିଙ୍କ୍ କରାଯାଇପାରିବ । ଏହାଦ୍ୱାରା ଷ୍ଟ୍ରିଟ୍ ଭେଣ୍ଡରମାନେ ନିଜ କ୍ରେଡିଟ୍ କାର୍ଡର ଉପଲବ୍ଧ ଲିମିଟକୁ ୟୁପିଆଇ ଜରିଆରେ ପେମେଣ୍ଟ କରିବାରେ ବ୍ୟବହାର କରିପାରିବେ ।

କେବେ ଆରମ୍ଭ ହୋଇଥିଲା ଯୋଜନା ?

ଏହି ଯୋଜନା ଜୁନ୍ ୨୦୨୦ରେ ଆରମ୍ଭ କରାଯାଇଥିଲା । ଏହାକୁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗର ମିଳିତ ଉଦ୍ୟମରେ ଲାଗୁ କରାଯାଇଥିଲା । ଗତବର୍ଷ ସରକାର ପିଏମ୍ ସ୍ୱନିଧି ଯୋଜନାର ସମ୍ପ୍ରସାରଣକୁ ମଞ୍ଜୁରୀ ଦେଇଥିଲେ । ଏହା ଅଧୀନରେ ଋଣ ଦେବାର ଅବଧିକୁ ମାର୍ଚ୍ଚ ୨୦୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ଷ୍ଟ୍ରିଟ୍ ଭେଣ୍ଡର କିଏ ?

ଯେକୌଣସି ବ୍ୟକ୍ତି ଯିଏ ରାସ୍ତା, ଫୁଟପାଥ୍, ଆଦିରେ ଅସ୍ଥାୟୀ ନିର୍ମାଣରୁ କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲି ବୁଲି ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ, ଜିନିଷପତ୍ର, ଖାଦ୍ୟ ପଦାର୍ଥ କିମ୍ବା ଅନ୍ୟାନ୍ୟ ଜିନିଷ ବିକ୍ରି କରନ୍ତି । ଏମାନଙ୍କ ଦ୍ୱାରା ବିକ୍ରି ହେଉଥିବା ଜିନିଷରେ ପନିପରିବା, ଫଳ, ରେଡି-ଟୁ-ଇଟ୍ ଷ୍ଟ୍ରିଟ୍ ଫୁଡ୍ ଆଦି ସାମିଲ ଅଛି ।

Leave a comment