ମହିଳା ଜୁନିଅର ଏସିଆ କପ୍ : ପାକିସ୍ତାନକୁ ଏକତରଫା ଭାବେ ୧୯-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କଲେ ଭାରତ
ମହିଳା ଜୁନିଅର ଏସିଆ କପ୍ରେ ଭାରତୀୟ ମହିଳା ହକି ଦଳର ଦମଦାର ପ୍ରଦର୍ଶନ। ପାକିସ୍ତାନକୁ ଏକତରଫା ଭାବେ ୧୯-୦ ଗୋଲରେ ପରାସ୍ତ କରି ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମ୍ୟାଚ୍ରେ ଭାରତ ମୋଟ ୧୮ଟି ପେନାଲ୍ଟି କର୍ଣ୍ଣର ଓ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ୍ ହାସଲ କରିଥିବାବେଳେ ପାକିସ୍ତାନ ଗୋଟିଏ ମଧ୍ୟ ପେନାଲ୍ଟି କର୍ଣ୍ଣର କିମ୍ବା ପେନାଲ୍ଟି ଷ୍ଟ୍ରୋକ୍ ଆଦାୟ କରିପାରିନଥିଲା। ଶନିବାର ସେମିଫାଇନାଲରେ ଭାରତ କୋରିଆ-ମାଲେସିଆ ମ୍ୟାଚ୍ର ବିଜେତାକୁ ଭେଟିବ।ମ୍ୟାଚ୍ ଆରମ୍ଭରୁ ଭାରତ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଥିଲା। ପ୍ରଥମ ପାଞ୍ଚ ମିନିଟ୍ରେ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଭାରତ ତାହାକୁ ଗୋଲରେ ପରିଣତ କରିପାରିନଥିଲା। ଷଷ୍ଠ ମିନିଟ୍ରେ ଭାରତ ଗୋଲ କରିଥିଲେ ମଧ୍ୟ ରେଫରାଲ୍ ପରେ ତାହା ବାତିଲ ହୋଇଥିଲା।ତେବେ ଏଥିରେ ଭାରତର ଆକ୍ରମଣ ଥମିନଥିଲା। ସପ୍ତମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ପୂଜା ସାହୁ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ଦୁଇ ମିନିଟ୍ ପରେ ରୋଶନି ଆଇନ୍ଦ ଫିଲ୍ଡ ଗୋଲ କରି ଅଗ୍ରଣୀକୁ ୨-୦ କରିଥିଲେ।୧୧ତମ ମିନିଟ୍ରେ ତନୁଶ୍ରୀ କାଡୁ ଡିଫ୍ଲେକ୍ସନ ମାଧ୍ୟମରେ ଗୋଲ କରିଥିଲେ। ଏହାପରେ ପାକିସ୍ତାନ ସର୍କଲ ଭିତରେ ଫାଉଲ କରିବାରୁ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ସୁଖବୀର କୌର ୧୩ତମ ମିନିଟ୍ରେ ଶାନ୍ତ ଭାବେ ଷ୍ଟ୍ରୋକ୍କୁ ଗୋଲରେ ପରିଣତ କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ହେବା ପୂର୍ବରୁ ସାନିକା ମାନେ ଆଉ ଏକ ଫିଲ୍ଡ ଗୋଲ କରି ଭାରତକୁ ୫-୦ରେ ଆଗୁଆ କରିଥିଲେ।
ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଗୋଲ ଅଭିଯାନ ଜାରି ରହିଥିଲା। ୧୬ତମ ମିନିଟ୍ରେ ମଧୁ ସିଦାର ଫିଲ୍ଡ ଗୋଲ କରିଥିଲେ। ଏହାର ଦୁଇ ମିନିଟ୍ ପରେ ଗୀତା ଯାଦବ ଗୋଲ କରି ସ୍କୋରକୁ ୭-୦ କରିଥିଲେ।୨୩ତମ ମିନିଟ୍ରେ ସାନିକା ନିଜର ଦ୍ୱିତୀୟ ଗୋଲ କରିଥିଲେ। ୨୫ତମ ମିନିଟ୍ରେ ତନୁଜା ଟପ୍ପୋ ନିଜର ପ୍ରଥମ ଗୋଲ ପାଇଥିଲେ। ଶେଷରେ ୨୭ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ପୂଜା ମଲିକ୍ ଗୋଲ କରିବା ସହ ହାଫ୍ଟାଇମ୍ରେ ଭାରତ ୧୦-୦ରେ ଆଗରେ ରହିଥିଲା।
ତୃତୀୟ କ୍ୱାର୍ଟରରେ ପୂର୍ଣ୍ଣିମା ଯାଦବ ଡିଫ୍ଲେକ୍ସନ ମାଧ୍ୟମରେ ଗୋଲ କରି ଭାରତର ଅଗ୍ରଣୀକୁ ୧୧-୦ କରିଥିଲେ। ୩୯ତମ ମିନିଟ୍ରେ ମଧୁ ପୁଣି ଥରେ ଡିଫ୍ଲେକ୍ସନ ଜରିଆରେ ଗୋଲ କରିଥିଲେ। ଏହାର ପରବର୍ତ୍ତୀ ମିନିଟ୍ରେ ସୁପ୍ରିୟା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ ୧୩-୦ କରିଥିଲେ।ଚତୁର୍ଥ କ୍ୱାର୍ଟରରେ ଭାରତ ଆହୁରି ଛଅଟି ଗୋଲ ଦେଇଥିଲା। ୪୮ତମ ମିନିଟ୍ରେ କୃଷ୍ଣା ଶର୍ମା ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ଗୋଲ କରିଥିଲେ। ଏହାର ଗୋଟିଏ ମିନିଟ୍ ପରେ ପୂଜା ମଲିକ୍ ନିଜର ଦ୍ୱିତୀୟ ଗୋଲ କରିଥିଲେ। ୫୧ ମିନିଟ୍ରେ ପୂଜା ପୁଣି ଗୋଲ କରି ହ୍ୟାଟ୍ରିକ୍ ପୂରଣ କରିଥିଲେ। ୫୪ତମ ମିନିଟ୍ରେ ସୁପ୍ରିୟା ପେନାଲ୍ଟି କର୍ଣ୍ଣରରୁ ଗୋଲ କରି ନିଜର ଦ୍ୱିତୀୟ ଗୋଲ ପାଇଥିଲେ। ୫୫ତମ ମିନିଟ୍ରେ ବିନିମା ଧନ ଫିଲ୍ଡ ଗୋଲ କରିଥିଲେ।ମ୍ୟାଚ୍ର ଶେଷ ମିନିଟ୍ରେ ରୋଶନି ନିଜର ଦ୍ୱିତୀୟ ଗୋଲ କରିବା ସହ ଭାରତର ସ୍କୋର ୧୯-୦ରେ ପହଞ୍ଚିଥିଲା। ଏହା ସହ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ବିଜୟ ହାସଲ କରି ଭାରତ ସେମିଫାଇନାଲ ଟିକେଟ୍ ନିଶ୍ଚିତ କରିଛି।