ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ

ଶ୍ରୀକୃଷ୍ଣ ଜନ୍ମଲୀଳାର ଆଜି ଚତୁର୍ଥ ଦିନ । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ବାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳକ ମାନଙ୍କ ସହ ଖେଳୁଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ବାସୁର ନାମକ ଜଣେ ପ୍ରଚଣ୍ଡ ବଳର ଅଧିକାରୀ ଏକ ଦୈତ୍ୟକୁ କଂସ ପଠାଇଥିଲେ । ପ୍ରଳମ୍ବାସୁର ପ୍ରଭୁ ବଳଭଦ୍ରଙ୍କୁ ତଥା ଦ୍ୱାପର ଲୀଳା କ୍ରମରେ ବଳରାମଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ବୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ବାସୁରକୁ ବିନାଶ କରିଥିଲେ । ମହାପ୍ରଭୁଙ୍କର ଦଶମୀ ତିଥିରେ ବନଭୋଜି ବେଶ ଓ ଗତକାଲି ଏକାଦଶୀ ତିଥିରେ କାଳୀୟଦଳନ ବେଶ ସରିବା ପରେ ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ବେଶ ଅନୁଷ୍ଠିତ ହେବ ।

କାଷ୍ଠ, ବେତ , କଳା କନା , ଧଳା କନା ଓ ନୀଳ କନାରେ ୪ ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତିକୁ ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜ୍ଜିତ କରାଯାଏ । ପ୍ରଳମ୍ବାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ର ସାଧାରଣ ବେଶରେ ବିରାଜମାନ କରିଥିବାବେଳେ ଅସୁରର ସ୍କନ୍ଧ ଓ ଦୁଇ ଭୁଜରେ ପ୍ରଭୁ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ । ଏହି ଦୃଶ୍ୟ ଦେଖିବା ପାଇଁ ଆଜି ପୁରୀରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

Leave a comment