ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ମୋଟ ଅଧିଗ୍ରହଣର ପ୍ରାୟ ୯୮ ପ୍ରତିଶତ ସାମଗ୍ରୀ ଭାରତୀୟ ଉଦ୍ୟୋଗଗୁଡ଼ିକରୁ କ୍ରୟ କରାଯିବ । ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ସ୍ଥଳ ସେନା, ନୌସେନା  ଏବଂ ବାୟୁସେନା ପାଇଁ ବିଭିନ୍ନ ଅଧିଗ୍ରହଣ ପ୍ରସ୍ତାବକୁ ‘ଆବଶ୍ୟକତାର ସ୍ୱୀକୃତି’ (AoN) ପ୍ରଦାନ କରାଯାଇଛି । ଯାହା ପ୍ରଶାସନିକ ନୀତିଗତ ମଞ୍ଜୁରି ଅଟେ ।

ଭାରତୀୟ ସେନା ପାଇଁ କେମିକାଲ୍ ବାୟୋଲଜିକାଲ୍ ରେଡିଓଲଜିକାଲ୍ ଆଣ୍ଡ ନ୍ୟୁକ୍ଲିୟର (CBRN) ରେକି ଭେହିକିଲ୍, ହାଇ ମୋବିଲିଟି ଭେହିକିଲ୍, ସେଲ୍ଫ-ପ୍ରୋପେଲ୍ଡ ମେକାନିକାଲ୍ ମାଇନ୍ ଲେୟାର୍ସ (MML), ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ALH), ଟ୍ରଲ୍ ଟ୍ୟାଙ୍କ ଏବଂ ସର୍ବତ୍ର ବ୍ରିଜ୍ ସିଷ୍ଟମ  କିଣିବା ପାଇଁ ମଞ୍ଜୁରି ଦିଆଯାଇଛି ।

ନୌସେନା ପାଇଁ ମେରାଇନ୍ ଗ୍ୟାସ୍ ଟରବାଇନ୍ କ୍ରୟ କରାଯିବ । ଯୁଦ୍ଧପୋତ ଚାଳନା ପାଇଁ ଆବଶ୍ୟକ ଏହି ଗ୍ୟାସ୍ ଟରବାଇନ୍ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍, ବିକାଶ ଏବଂ କ୍ରୟ କରାଯିବ, ଯାହାଦ୍ୱାରା ବୈଦେଶିକ ବିକ୍ରେତାଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ସେହିପରି ଶତ୍ରୁପକ୍ଷର ରାଡାର୍ ସିଷ୍ଟମକୁ ନିଷ୍କ୍ରିୟ କରିବା ପାଇଁ ଗ୍ରାଉଣ୍ଡ-ବେସ୍ଡ ମଲ୍ଟି-ପର୍ପଜ୍ ଜାମର । ପୁରୁଣା କାଗଜପତ୍ର ଆଧାରିତ ପରିଚୟପତ୍ର ଓ ପାସ୍ ବଦଳରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ପ୍ରଯୁକ୍ତିବିଦ୍ୟା ଆଧାରିତ ଏକ ନିରାପଦ ସ୍ମାର୍ଟ-କାର୍ଡ ସିଷ୍ଟମ୍ ଲାଗୁ କରାଯିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ AoN ଅଧୀନରେ ଅନୁମୋଦିତ ସମସ୍ତ ଅଧିଗ୍ରହଣର ପ୍ରାୟ ୯୮ ପ୍ରତିଶତ ସ୍ୱଦେଶୀ ଶିଳ୍ପରୁ କ୍ରୟ କରାଯିବ । ଏହା ଭାରତର ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଅଧିକ ସୁଦୃଢ଼ କରିବ।

Leave a comment