ଆମେରିକାରେ ଭୀଷଣ ଗରମ,ଟେକି ହୋଇ ରହିଲା ଚିକାଗୋ ଡ୍ର ବ୍ରିଜ୍
ଆମେରିକାରେ ଏବେ ଭୀଷଣ ଗରମ ପଡୁଛି। ଗ୍ରୀଷ୍ମ ପ୍ରବାହରେ ମଣିଷ ତ ମଣିଷ ଲୁହା ବ୍ରିଜ ମଧ୍ୟ ପ୍ରଭାବିତ ହେବାକୁ ଲାଗିଲାଣି ଆମେରିକା ଚିକାଗୋରୁ ଏଇଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସୁଛି। ଏଠାରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୁହାପୋଲ ଏତେ ଗରମ ହୋଇଗଲା ଯେ ଉପରକୁ ଉଠିବା ପରେ ପୁଣି ପୂର୍ବାବସ୍ଥାକୁ ଫେରିଲା ନାହିଁ। ଏଣୁ ଚିକାଗୋରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଫିକ ପ୍ରଭାବିତ ହୋଇଛି। ପରିବହନ ଅଧିକାରୀଙ୍କ ଅନୁସାରେ ଭୀଷଣ ଗରମ ଯୋଗୁ ପୋଲରେ ଏପରି ଅସୁବିଧା ଦେଖା ଦେଇଛି।
ତେବେ ଏହି ଘଟଣା ଗତ ବୁଧବାରର ଯେତେବେଳେ ଚିକାଗୋ ଡାଉନଟାଉନର ଏହି ପୋଲ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ଉପରକୁ ଉଠିକି ରହିଥିଲା। ଏହି ପୋଲକୁ ଜାହାଜ ଯାତାୟାତ ନିମନ୍ତେ ଉପରକୁ ଉଠାଯାଇଥାଏ। ଜାହାଜ ଯିବା ପରେ ପୋଲ ପୁଣି ପୂର୍ବାବସ୍ଥାକୁ ଫେରିଆସେ। ଯାହାଦ୍ୱାରା ପୋଲ ଉପରଦେଇ ଯାନବାହନ ଯାତାୟତା ହୋଇ ପାରିବ। ହେଲେ ବୁଧବାର ଏପରି ହୋଇନଥିଲା। ପୋଲ ପୁଣି ଥରେ ପୂର୍ବବସ୍ଥାକୁ ଫେରିନଥିଲା। ଭୀଷଣ ଗରମରେ ଏହାର ମେକାନିଜିମ କାମ କରିବା ବନ୍ଦ କରିଦେଇଥିଲା। ପୋଲ ଉପରକୁ ଉଠି ରହିଯାଇଥିଲା ଓ ତଳକୁ ଆସିନଥିଲା। ଏଣୁ ଚିକାଗୋ ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ଡିପାର୍ଟମେଣ୍ଟ ଅଫ ଟ୍ରାନ୍ସପୋର୍ଟେସନ ଅନୁସାରେ ଘଟଣାର ମୁଖ୍ୟ କାରଣ ଥିଲା ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଯେତେବେଳେ ଗରମରେ ମେଟାଲ ଗରମରେ ଲମ୍ବା ହେବାକୁ ଲାଗେ ସେତେବେଳେ ଏପରି ଅବସ୍ଥା ଉପୁଜେ। ଚିକାଗୋ ବ୍ରିଜ ସହ ମଧ୍ୟ ଏହା ଘଟିଥିଲା। ଭୀଷଣ ଗରମରେ ବ୍ରିଜ ଲମ୍ବି ଯାଇଥିଲା, ଏହି କାରଣରୁ ଉଠାଯିବା ପରେ ପୁଣି ଥରେ ତଳକୁ ଆସିବା ଲାଗି ଏହାର ଯୋଡେଇ ଓ ଗିୟର ଏପରି ଫଶି ଯାଇଥିଲା ଯେ ସେ ପୁଣି ନିଜ ସ୍ଥାନକୁ ଫେରି ପାରିନଥିଲେ। ପୋଲକୁ ଥଣ୍ଡା କରିବା ପାଇଁ ତୁରନ୍ତ ଇଞ୍ଜିନିୟରଙ୍କ ଟିମ୍ ପହଞ୍ଚିଥିଲା। ନଦୀରୁ ପାଣି ଛିଞ୍ଚି ପୋଲକୁ ଥଣ୍ଡା କରାଯିବା ପରେ ପୁଣି ନିଜ ସ୍ଥାନକୁ ମନକୁ ମନ ଫେରି ଆସିଥିଲା। ତେବେ ଏଥି ପାଇଁ ଦୀର୍ଘ ସମୟ ଲାଗିଥିଲା।