ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ

ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଆଉ କୌଣସି ନୂଆ ତୀର୍ଥଯାତ୍ରୀ ବ୍ୟାଚ୍କୁ ଅମରନାଥ ଯାତ୍ରା ପାଇଁ ପଠାଯିବ ନାହିଁ। ତେବେ ପୂର୍ବରୁ ଯାତ୍ରାରେ ଥିବା ବ୍ୟାଚ୍ ଗୁଡ଼ିକୁ ତୀର୍ଥଯାତ୍ରା ସୁରକ୍ଷିତ ଭାବେ ସମାପ୍ତ କରିବାକୁ ଅନୁମତି ମିଳିବ। ଏପର୍ଯ୍ୟନ୍ତ ୪ ଲକ୍ଷ ୮୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ପବିତ୍ର ଗୁମ୍ଫା ଦର୍ଶନ କରିସାରିଛନ୍ତି।

ମରାମତିରେ ଲାଗିଛି BRO

ବର୍ଷା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଯାତ୍ରାପଥର ପୁନରୁଦ୍ଧାର ଓ ସ୍ଥିରୀକରଣ କାମ ଆରମ୍ଭ ହୋଇଛି। ବର୍ଡର ରୋଡ୍ ଅର୍ଗାନାଇଜେସନ୍ (BRO) କ୍ଷତିଗ୍ରସ୍ତ ଅଂଶଗୁଡ଼ିକର ମରାମତି ଓ ଟ୍ରାକ୍କୁ ପୁନଃ ସୁରକ୍ଷିତ କରିବା କାମରେ ନିୟୋଜିତ ରହିଛି। ଅଧିକାରୀମାନଙ୍କ ଅନୁଯାୟୀ, ଏବେ ମୁଖ୍ୟ ଲକ୍ଷ୍ୟ ହେଉଛି ଯାତ୍ରାପଥକୁ ସୁରକ୍ଷିତ କରିବା ଏବଂ ପୂର୍ବରୁ ଯାତ୍ରାରେ ଥିବା ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା।

୪.୮ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ

ଚଳିତବର୍ଷ ଜୁଲାଇ ୩ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ ୪ ଲକ୍ଷ ୮୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ବାବା ଅମରନାଥଙ୍କ ଦର୍ଶନ କରିସାରିଛନ୍ତି। ୨୦୨୬ର ଯାତ୍ରା ୫୭ ଦିନ ଧରି ଚାଲିବାକୁ ଥିଲା।

 

Leave a comment