ଜ୍ୱର, କାଶ, ସର୍ଦ୍ଦି ଏବଂ ଗଳା ଯନ୍ତ୍ରଣା ଏହା ସାଧାରଣ ଫ୍ଲୁ ନା କୋଭିଡ୍?ଅନେକେ ଦ୍ୱନ୍ଦ୍ୱରେ
ବର୍ଷା ଋତୁ ଆସିଲେ ବଢ଼ିଯାଏ ଭାଇରାଲ ସଂକ୍ରମଣ ର ଆଶଙ୍କା । ଜ୍ୱର, କାଶ, ସର୍ଦ୍ଦି ଏବଂ ଗଳା ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଲେ ଅନେକେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି—ଏହା ସାଧାରଣ ଫ୍ଲୁ ନା କୋଭିଡ୍? କାରଣ ଏବେ ଉଭୟ ରୋଗର ଲକ୍ଷଣ ପ୍ରାୟ ଏକାଭଳି ହୋଇଥିବାରୁ କେବଳ ଲକ୍ଷଣ ଦେଖି ଭେଦ କରିବା କଷ୍ଟକର । ତେବେ କେବେ ସତର୍କ ହେବେ, କେବେ ପରୀକ୍ଷା କରିବେ ଏବଂ କିପରି ନିଜକୁ ସୁରକ୍ଷିତ ରଖିବେ? ଦେଖନ୍ତୁ ଏହି ରିପୋର୍ଟ । ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ପାଗ ବଦଳିବା ସହ ବିଭିନ୍ନ ପ୍ରକାର ଭାଇରସ୍ ସକ୍ରିୟ ହେଉଛନ୍ତି । ଏହାର ପ୍ରଭାବରେ ଭାଇରାଲ୍ ଜ୍ୱର, ଫ୍ଲୁ ଏବଂ କେତେକ ସ୍ଥାନରେ କୋଭିଡ୍ ସଂକ୍ରମଣ ମଧ୍ୟ ପୁଣି ଦେଖାଯାଉଛି । ହସ୍ପିଟାଲର ବାହ୍ୟ ବିଭାଗରେ କାଶ, ସର୍ଦ୍ଦି, ଗଳା ଖରାପ ଏବଂ ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ବିଶେଷଜ୍ଞଙ୍କ କହିବା ଅନୁସାରେ କୋଭିଡ୍ ଓ ଫ୍ଲୁ—ଉଭୟ ଶ୍ୱାସତନ୍ତ୍ର ସମ୍ବନ୍ଧୀୟ ଭାଇରାଲ୍ ସଂକ୍ରମଣ । ଉଭୟରେ ଜ୍ୱର, କାଶ, ଶରୀର ବ୍ୟଥା, ଥକ୍କାପଣ ଏବଂ ଗଳା ଦରଜ ଭଳି ଲକ୍ଷଣ ଥାଏ । ବର୍ତ୍ତମାନର କୋଭିଡ୍ ଭାରିଆଣ୍ଟର ଲକ୍ଷଣ ମଧ୍ୟ ଫ୍ଲୁ ସହ ପ୍ରାୟ ସମାନ ଥିବାରୁ କେବଳ ଲକ୍ଷଣ ଦେଖି କେଉଁଟି କୋଭିଡ୍ ଏବଂ କେଉଁଟି ଫ୍ଲୁ, ତାହା କହିବା ସହଜ ନୁହେଁ । ତେବେ କେବେ କୋଭିଡ୍ ପରୀକ୍ଷା କରିବେ? ଡାକ୍ତରଙ୍କ ମତରେ ଯଦି କାଶ, ଜ୍ୱର କିମ୍ବା ଗଳା ଯନ୍ତ୍ରଣା ଦୀର୍ଘ ସମୟ ଧରି ରହୁଛି, ଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ଘରେ କିମ୍ବା ଆଖପାଖରେ କାହାର କୋଭିଡ୍ ସଂକ୍ରମଣ ନିଶ୍ଚିତ ହୋଇଛି, ତେବେ ଆରଟି-ପିସିଆର୍ କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଇବା ଭଲ ।ବିଶେଷକରି ବୟସ୍କ ଏବଂ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଉଚିତ୍ । ଯଦି କେବଳ ସାଧାରଣ କାଶ, ସର୍ଦ୍ଦି, ଜ୍ୱର ଓ ଗଳା ଖରାପ ରହେ, ତେବେ ଅଧିକାଂଶ କ୍ଷେତ୍ରରେ ୩ରୁ ୫ ଦିନ ମଧ୍ୟରେ ଆରାମ ମିଳିପାରେ। କିନ୍ତୁ ଲଗାତାର ଅଧିକ ଜ୍ୱର, ଶ୍ୱାସକଷ୍ଟ, ଅକ୍ସିଜେନ୍ ସ୍ତର କମିଯିବା କିମ୍ବା ଅବସ୍ଥା ଖରାପ ହେଲେ ବିଳମ୍ବ ନକରି ଡାକ୍ତରଖାନାରେ ଚିକିତ୍ସା ନେବା ଜରୁରୀ । ନିଜ ଇଚ୍ଛାରେ ଔଷଧ ସେବନ ନକରି ଡାକ୍ତରଙ୍କ ପରାମର୍ଶ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କୋଭିଡ୍ ଓ ଫ୍ଲୁ ଉଭୟରୁ ସୁରକ୍ଷିତ ରହିବା ପାଇଁ ବାରମ୍ବାର ହାତ ଧୋଇବା, କାଶିବା କିମ୍ବା ଛିଙ୍କିବା ବେଳେ ମୁହଁ ଓ ନାକ ଢାଙ୍କିବା, ସନ୍ତୁଳିତ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ବିଶ୍ରାମ ନେବା ଏବଂ ଅସୁସ୍ଥ ହେଲେ ଭିଡ଼ ଜାଗାରୁ ଦୂରେ ରହିବା ଜରୁରୀ । ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶରେ ଫ୍ଲୁ ଟିକା ମଧ୍ୟ ନେଇପାରିବେ ।