ଇବୋଲା ମହାମାରୀ ଭୟଙ୍କର ରୂପ, ୯ ଶହ ଟପିଲା ଇବୋଲା ମୃତ୍ୟୁ ସଂଖ୍ୟା
୯ ଶହ ଟପିଲା ଇବୋଲା ମୃତ୍ୟୁ ସଂଖ୍ୟା । ଆଫ୍ରିକୀୟ ଦେଶ କଙ୍ଗୋରେ ଇବୋଲା ମହାମାରୀ ଭୟଙ୍କର ରୂପ ନେଇଛି । ଦେଶର ବିଭିନ୍ନ ପ୍ରଦେଶରେ ଜାରି ରହିଥିବା ହିଂସାକାଣ୍ଡ ଯୋଗୁଁ ଚିକିତ୍ସା ଓ ପ୍ରତିରୋଧ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ ପ୍ରାଣ ହରାଇବା ପରେ ମୋଟ ମୃତ୍ୟୁ ସଂଖ୍ୟା ୯୩୦ରେ ପହଞ୍ଚିଛି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୩୪୪କୁ ବୃଦ୍ଧି ପାଇଛି । ଚଳିତ ବର୍ଷ ବ୍ୟାପିଥିବା ପ୍ରଜାତିର ଇବୋଲା ପାଇଁ କୌଣସି ପ୍ରତିଷେଧକ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନଥିବାରୁ ମୃତ୍ୟୁ ସଂଖ୍ୟା ବଢିଚାଲିଛି ।
ସେପଟେ ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀଙ୍କ ହିଂସାକାଣ୍ଡ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତରୀ ଦଳ ପ୍ରଭାବିତ ଅଞ୍ଚଳକୁ ଯାଇପାରୁ ନାହାନ୍ତି । ଗୁଜବ ଓ ଅନ୍ଧବିଶ୍ୱାସ ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ହେଉଥିବାରୁ ଚିକିତ୍ସା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସେହିପରି ବକେୟା ଦରମା ଦାବି ଏବଂ ସୁରକ୍ଷା ଅଭାବରୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ପର୍ଯ୍ୟାପ୍ତ ସୁରକ୍ଷା ସରଞ୍ଜାମ ନଥିବାରୁ ୩୬ ଜଣ ସ୍ୱାସ୍ଥ୍ୟକର୍ମୀ ଇବୋଲା ସଂକ୍ରମଣରେ ପ୍ରାଣ ହରାଇଲେଣି । ନୂଆ ରୋଗୀ ଚିହ୍ନଟରେ ପ୍ରଶାସନ ବିଫଳ ହେଉଥିବାରୁ ଇବୋଲା କଙ୍ଗୋରେ ମହାମାରୀ ପାଲଟିଛି ।