ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଟଣା ସଠିକ୍ ସମୟରେ ନହେବା ଦୁର୍ଭାଗ୍ୟଜନକ- ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ମହାପ୍ରଭୁଙ୍କ ଘୋଷଯାତ୍ରାରେ ରଥଟଣା ବିଳମ୍ବ ହେବା ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଟଣା ସଠିକ୍ ସମୟରେ ନହେବା ଦୁର୍ଭାଗ୍ୟଜନକ ବୋଲି ସେ ଦର୍ଶାଇଛନ୍ତି।
ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ସରକାରଙ୍କୁ ସମାଲୋଚନା
ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ସରକାର ଓଡ଼ିଆ ଅସ୍ମିତାକୁ ନେଇ କେବଳ ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ କାମରେ ସେଭଳି କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ରଥଯାତ୍ରାର ସଫଳ ଆୟୋଜନ ଅପେକ୍ଷା ଶାସକ ଦଳ ନିଜ ସଙ୍ଗଠନ ଓ ଦଳର ଲୋକଙ୍କୁ ଚର୍ଚ୍ଚାରେ ରଖିବା ପାଇଁ ଅଧିକ ବ୍ୟସ୍ତ ରହୁଛନ୍ତି। ଯଦି ସେମାନଙ୍କର ଟିକିଏ ବି ଆନ୍ତରିକତା ଥାନ୍ତା, ତେବେ ଜଗନ୍ନାଥ ସଂସ୍କୃତିର ସବୁଠାରୁ ବଡ଼ ପର୍ବ ରଥଯାତ୍ରା ଅତି ସୁଚାରୁ ରୂପେ ଏବଂ ଶୃଙ୍ଖଳିତ ଭାବେ ଶେଷ ହୋଇପାରିଥାନ୍ତା।
ପରମ୍ପରା ଭଙ୍ଗ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ
ରଥଯାତ୍ରାର ପରମ୍ପରା ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ରଥଟଣା ହେବା କଥା ନୁହେଁ ବୋଲି ପ୍ରମିଳା ମଲ୍ଲିକ ମନେ ପକାଇ ଦେଇଛନ୍ତି। ହେଲେ ଚଳିତ ବର୍ଷ ସମସ୍ତ ନୀତି ନିୟମକୁ ଅଣଦେଖା କରି ସନ୍ଧ୍ୟା ୭ଟା ୯ ମିନିଟରେ ପ୍ରଭୁ ଜଗନ୍ନାଥଙ୍କ ରଥ ଟଣାଗଲା। ଏଭଳି ବ୍ୟତିକ୍ରମ ପାଇଁ ସେ ସରକାରଙ୍କ ପରିଚାଳନାଗତ ତ୍ରୁଟିକୁ ସମ୍ପୂର୍ଣ୍ଣ ଦାୟୀ କରିବା ସହ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଆଜି ରଥଯାତ୍ରାରେ କୌଣସି ବି ରଥ ଶରଧାବାଲିରେ ପହଞ୍ଚିବା ତ ଦୂରର କଥା ଅଧା ବାଟ ବି ଗଡ଼ିନି। ମାର୍କେଟ୍ ଛକରେ ତାଳଧ୍ଵଜ ରଥ ଅଟକି ଥିବା ବେଳେ ମରିଚିକୋଟରେ ଦର୍ପ ଦଳନ ଅଟକିଛି। ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ଵାର ସମ୍ମୁଖରେ ଚକେ ଗଡ଼ି ଅଟକିଛି। ପୁଣି ଆସନ୍ତାକାଲି ସକାଳ ୯ଟାରେ ରଥ ଟଣା ଯିବ।