ଦନ୍ଦିଘୋଷ ରଥରେ ବିରାଜମାନ କାଳିଆ ସାଆନ୍ତ, କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ରୁଢାରୁଣ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଗଗନପବନ । ହରିବୋଲ, ହୁଳହୁଳିରେ ଫାଟି ପଡୁଛି ବଡ଼ଦାଣ୍ଡ । କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଆଜି ଏକାକାର ଭକ୍ତ ଭଗବାନ । ଆହାଃ କି ଅପୂର୍ବ ଏ ଦୃଶ୍ୟ… ବିଶ୍ବନିୟନ୍ତାଙ୍କୁ ଦର୍ଶନ କରି ପବିତ୍ର ହେଉଛି ଚର୍ମଚକ୍ଷୁ ।

ସେପଟେ ତାଳଧ୍ବଜରେ ରୁଥାରୁଢ଼ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର । ହଳଦୀମୁହିଁ ମାଆ ସୁଭଦ୍ରା ଦେବଦଳର ରଥରେ ବିଜେ କରିଛନ୍ତି । ପ୍ରଥମେ ସୁଦର୍ଶନ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ । ଏବେ କାଳିଆ ସାଆନ୍ତେ ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ରଥକୁ ଆସୁଛନ୍ତି । ରଥରେ ବସି ମାଉସୀ ଘରକୁ ଯିବେ ମହାବାହୁ । ରଥଯାତ୍ରା ହେଉଛି ସେହି ବିରଳ ପର୍ବ, ଯେଉଁଠି ଭଗବାନ ସ୍ୱୟଂ ନିଜ ଭକ୍ତଙ୍କ ପାଖକୁ ଆସନ୍ତି । ଆଜି ଭକ୍ତଙ୍କ ପାଇଁ ଏହା କେବଳ ଦର୍ଶନର ଦିନ ନୁହେଁ, ବରଂ ନିଜ ମନର ସବୁ ଦୁଃଖ, ସୁଖ, ଆଶା ଓ ପ୍ରାର୍ଥନା କାଳିଆ ସାଆନ୍ତଙ୍କୁ ଜଣାଇବାର ପବିତ୍ର ଅବସର ।

Leave a comment