ଶ୍ରୀକ୍ଷେତ୍ରରେ ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର । ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ଗୋଟି ପହଣ୍ଡି । ବଡ଼ ଠାକୁରଙ୍କୁ ବାଇଶି ପାହାଚ ଦେଇ ସେବକମାନେ ରଥକୁ ଆଣିଛନ୍ତି । ବଳଦେବଙ୍କୁ ବଡ଼ଦାଣ୍ଡରେ ଅପେକ୍ଷାରତ ତାଳଧ୍ବଜରେ ରଥାରୂଢ ହୋଇଛନ୍ତି । ଦିବ୍ୟ, ଭବ୍ୟ, ମନୋଜ୍ଞ, ଟାହିଆ ହଲେଇ ରଥରେ ବିରାଜିଛନ୍ତି ଶ୍ରୀବଳଦେବ ବଡଠାକୁର ।
ଧାଡି ପହଣ୍ଡି ନୀତିରେ ସେବାୟତମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଘେନି ଆଣୁଛନ୍ତି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀନଅରରୁ ପହଣ୍ଡିରେ ବାହାରିବେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ପହଣ୍ଡିରେ ବାହାରିବେ । ଶେଷରେ ଭକ୍ତଙ୍କୁ ନ ପାଇ ମନକୁ ମାରି ରତ୍ନବେଦୀରୁ ଓହ୍ଲାଇ ଆସିବେ ଶ୍ରୀ ଜଗନ୍ନାଥ । ଏହି ଦିବ୍ୟ ଦୃଶ୍ୟକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରେ ରହିଛନ୍ତି । ଭକ୍ତି, ପ୍ରେମ ଓ ଆଧ୍ୟାତ୍ମିକତାର ଏହି ଅନନ୍ୟ ମୁହୂର୍ତ୍ତ ରଥଯାତ୍ରାକୁ ବିଶ୍ୱର ସବୁଠାରୁ ନିଆରା ପର୍ବର ମର୍ଯ୍ୟାଦା ଦେଇଛି । ଆଜି ସତରେ ଭକ୍ତ ଓ ଭଗବାନଙ୍କ ଏହି ମିଳନ ଅତ୍ୟନ୍ତ ମନୋହର ଏବଂ ଅବିସ୍ମରଣୀୟ ।