୨୦୩୬ ସୁଦ୍ଧା ଦେଶର ମୋଟ ଉପଭୋକ୍ତା ଖର୍ଚ୍ଚର ୯୩ ପ୍ରତିଶତ ମଧ୍ୟବିତ୍ତ ଓ ଆଶାୟୀ ଶ୍ରେଣୀର ଉପଭୋକ୍ତାଙ୍କଠାରୁ ଆସିବ-କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଆସନ୍ତା ଦଶନ୍ଧିରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ଚାଳକ ଭାବେ ମଧ୍ୟବିତ୍ତ ଶ୍ରେଣୀ ଉଭା ହେବେ। ୨୦୩୬ ସୁଦ୍ଧା ଦେଶର ମୋଟ ଉପଭୋକ୍ତା ଖର୍ଚ୍ଚର ୯୩ ପ୍ରତିଶତ ମଧ୍ୟବିତ୍ତ ଓ ଆଶାୟୀ ଶ୍ରେଣୀର ଉପଭୋକ୍ତାଙ୍କଠାରୁ ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ଫ୍ରାନ୍ସର ଏକ୍ସ-ଏନ୍-ପ୍ରୋଭେନ୍ସରେ ଆୟୋଜିତ ‘ରେଙ୍କୋଣ୍ଟ୍ର ଇକୋନୋମିକ୍ସ’ (Rencontres Economiques d’Aix-en-Provence) କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତର ଅର୍ଥନୈତିକ ବିକାଶ କେବଳ ମହାନଗର ମଧ୍ୟରେ ସୀମିତ ରହିବ ନାହିଁ, ଆଗାମୀ ଦିନରେ ପ୍ରାୟ ୫୦୦ଟି ସହର ନୂଆ ଆର୍ଥିକ କେନ୍ଦ୍ର ଭାବେ ଉଭା ହେବ।
ସୀତାରମଣ ଆହୁରି କହିଛନ୍ତି ଯେ, ଭାରତର ମଧ୍ୟବିତ୍ତ ଶ୍ରେଣୀ କେବଳ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ କିମ୍ବା ଚେନ୍ନାଇ ଭଳି ମହାନଗରରେ ସୀମିତ ନୁହେଁ। ବରଂ ଟିୟର-୨ ଓ ଟିୟର-୩ ସହରରେ ମଧ୍ୟ ଏହି ଶ୍ରେଣୀ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଫଳରେ ସମ୍ପତ୍ତି ଓ ଆର୍ଥିକ ସୁଯୋଗର ବଣ୍ଟନ ମହାନଗର ବାହାରକୁ ମଧ୍ୟ ବ୍ୟାପିବାରେ ଲାଗିଛି।
ସେ କହିଥିଲେ, ମଧ୍ୟବିତ୍ତ ଶ୍ରେଣୀ କେବଳ ବିକାଶର ଲାଭାର୍ଥୀ ନୁହେଁ, ବରଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ଶକ୍ତି। ବର୍ତ୍ତମାନ ଭାରତର ପ୍ରାୟ ୩୧ ପ୍ରତିଶତ ଜନସଂଖ୍ୟା ମଧ୍ୟବିତ୍ତ ଶ୍ରେଣୀର ଅନ୍ତର୍ଭୁକ୍ତ ଏବଂ ୧୯୯୫ ପରଠାରୁ ଏହି ଶ୍ରେଣୀ ପ୍ରତିବର୍ଷ ହାରାହାରି ୬.୩ ପ୍ରତିଶତ ହାରରେ ବୃଦ୍ଧି ପାଇଛି। OECDର ଆକଳନ ଅନୁସାରେ, ୨୦୩୦ରୁ ୨୦୩୫ ମଧ୍ୟରେ ମଧ୍ୟବିତ୍ତ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନକୁ ଅତିକ୍ରମ କରିବ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ଯୋଜନା ନିମ୍ନ ଆୟ ବର୍ଗକୁ ମଧ୍ୟବିତ୍ତ ଶ୍ରେଣୀକୁ ଆଣିବାରେ ସହାୟକ ହୋଇଛି। ୨୦୧୪ରେ ଆରମ୍ଭ ହୋଇଥିବା ଜନଧନ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ି ହୋଇଥିଲେ। ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫ୍ର ତଥ୍ୟ ଅନୁସାରେ, ୨୪.୮ କୋଟି ଲୋକ ବହୁମାତ୍ରିକ ଦାରିଦ୍ର୍ୟରୁ ବାହାରିଛନ୍ତି ସୀତାରମଣ।
ବ୍ୟବସାୟକୁ ସରକାରୀ ପ୍ରୋତ୍ସାହନ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିନା ବନ୍ଧକରେ ସରକାରୀ ଗ୍ୟାରେଣ୍ଟିଯୁକ୍ତ ଋଣ ଯୋଗାଇ ଛୋଟ ବ୍ୟବସାୟକୁ ପ୍ରୋତ୍ସାହନ ଦିଆଯାଇଛି। ଏହା ସହ ଡିଜିଟାଲ ପେମେଣ୍ଟ ଏବଂ ବ୍ୟାଙ୍କିଂ ସେବାକୁ ସ୍ମାର୍ଟଫୋନ୍ ସହିତ ଫିଚର୍ ଫୋନ୍ ଏବଂ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଯାଇଥିବାରୁ କ୍ଷୁଦ୍ର ବ୍ୟବସାୟୀମାନେ ଔପଚାରିକ ଅର୍ଥନୀତି ସହ ଯୋଡ଼ି ହୋଇପାରିଛନ୍ତି।
କର ବ୍ୟବସ୍ଥାରେ ସୁଧାର ସମ୍ପର୍କରେ ସୀତାରମଣ କହିଛନ୍ତି ଯେ ଆୟକର ଛାଡ଼ ସୀମାକୁ ୨.୫ ଲକ୍ଷ ଟଙ୍କାରୁ ବଢ଼ାଇ ୧୨ ଲକ୍ଷ ଟଙ୍କା କରାଯାଇଛି, ଯାହା ଫଳରେ ପରିବାରମାନଙ୍କ ହାତରେ ଅଧିକ ବ୍ୟୟଯୋଗ୍ୟ ଆୟ ରହୁଛି। ଏହା ସହିତ ଜିଏସ୍ଟି ହାରରେ ମଧ୍ୟ ହ୍ରାସ କରାଯାଇ ଉପଭୋଗ ଏବଂ କ୍ଷୁଦ୍ର ବ୍ୟବସାୟକୁ ପ୍ରୋତ୍ସାହନ ଦିଆଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତ୍ୟେକ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାଶଲେସ୍ ସ୍ୱାସ୍ଥ୍ୟ ବୀମା ସୁବିଧା ଦିଆଯାଉଥିବା ବେଳେ, ଜନଔଷଧି କେନ୍ଦ୍ର ମାଧ୍ୟମରେ ୮୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ଦରରେ ଜେନେରିକ୍ ଔଷଧ ଯୋଗାଇ ଦିଆଯାଉଥିବା ସୀତାରଣ କହିଛନ୍ତି।
ସେହିପରି ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରତ୍ୟେକ ଜିଲ୍ଲାରେ ଝିଅମାନଙ୍କ ପାଇଁ STEM ଶିକ୍ଷା ହଷ୍ଟେଲ୍ ନିର୍ମାଣ, ପାଞ୍ଚଟି ୟୁନିଭର୍ସିଟି ଟାଉନ୍ଶିପ୍ ପ୍ରତିଷ୍ଠା ଏବଂ AVGC (Audiovisual, Visual Effects, Gaming and Comics) କ୍ଷେତ୍ରରେ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ସେ ସୂଚନା ଦେଇଥିଲେ। ଶେଷରେ ସୀତାରମଣ କହିଥିଲେ, ସରକାରଙ୍କ ଏହି ସବୁ ପଦକ୍ଷେପ ମଧ୍ୟବିତ୍ତ ଶ୍ରେଣୀକୁ ସଶକ୍ତ କରିଛି ଏବଂ ଏବେ ଏହି ଶ୍ରେଣୀ ଭାରତର ଅର୍ଥନୈତିକ ବିକାଶର ପ୍ରମୁଖ ଇଞ୍ଜିନ୍ ପାଲଟିଛି।