ବାରଣାସୀ ଓ ଅଯୋଧ୍ୟା ତୀର୍ଥ ଯାତ୍ରାରେ ଗଲେ ୭୭୫ ଜଣ ବରିଷ୍ଠ ନାଗରିକ,ପଟିଆ ନିୟୁ ରେଳ ଷ୍ଟେସନରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଦେଖାଇ ଯାତ୍ରାର କଲେ ଶୁଭାରମ୍ଭ
ତୀର୍ଥ ଯାତ୍ରାରେ ଗଲେ ବରିଷ୍ଠ ନାଗରିକ । ୭୭୫ ଜଣ ବରିଷ୍ଠ ନାଗରିକ ବାରଣାସୀ ଓ ଅଯୋଧ୍ୟା ତୀର୍ଥ ଯାତ୍ରାରେ ଗଲେ । ଭୁବନେଶ୍ୱର ପଟିଆ ନିୟୁ ରେଳ ଷ୍ଟେସନରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଯାତ୍ରା ଆରମ୍ଭ ବେଳେ ପର୍ଯ୍ୟଟନ ମନ୍ତ୍ରୀ ସମ୍ପଦ ସ୍ବାଇଁ ଉପସ୍ଥିତ ଥିଲେ ।
ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାରୁ ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଏବଂ ଢେଙ୍କାନାଳରୁ ୮୯ ଜଣଙ୍କୁ ମିଶାଇ ମୋଟ୍ ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀରେ ଯାଇଛନ୍ତି । ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ତୀର୍ଥଯାତ୍ରୀମାନେ ଆସନ୍ତା ୭ ତାରିଖରେ ଫେରିବେ ।ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ରକୁ ବୁଲିଯିବାର ସୁଯୋଗ ପାଇବେ । ରାଜ୍ୟ ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନକୁ ବିନାଦେୟରେ ବୁଲି ଦେଖିବାର ସମସ୍ତ ବନ୍ଦୋବସ୍ତ କରିଛନ୍ତି । ଏହା ଦ୍ୱାରା ତୀର୍ଥ କ୍ଷେତ୍ରକୁ ଯିବା ପାଇଁ ସେମାନଙ୍କର ସ୍ୱପ୍ନ ସାକାର ହୋଇପାରୁଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।