ଭାରତୀୟ ବଜାର ପାଇଁ ବନ୍ଦ ହେଲା ପଲସର୍ N125 (Pulsar N125) ବାଇକ୍ । ବଜାଜ୍ ଅଟୋ (Bajaj Auto) ଏହି ବାଇକର ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛି। କମ୍ପାନି ପକ୍ଷରୁ ଦେଶର ସମସ୍ତ ଡିଲରମାନଙ୍କୁ ଏହି ବାଇକ୍ ଯୋଗାଣ ବନ୍ଦ କରାଯାଇଛି। ୨୦୨୪ ଅକ୍ଟୋବରରେ ଲଞ୍ଚ୍ ହୋଇଥିବା ଏହି ବାଇକ୍ ବଜାରରେ ୨ ବର୍ଷ ମଧ୍ୟ ପୂରଣ କରିପାରିନାହିଁ। ତେବେ ବଜାରରେ ଆଶାନୁରୂପକ ବିକ୍ରି ନହେବା ଏବଂ ଆଧୁନିକ ଫିଚର୍ସର ଅଭାବ ଯୋଗୁ କମ୍ପାନି ଏହାକୁ ଭାରତୀୟ ବଜାରରୁ ହଟାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି।
ବାଇକ୍ ବନ୍ଦ ହେବାର ପ୍ରମୁଖ କାରଣ:
ଏହି ବାଇକ୍ ବନ୍ଦ ହେବାର କିଛି ପ୍ରମୁଖ କାରଣ ମଧ୍ୟରେ ରହିଛି ଏହାର ପତଳା ଏବଂ ଲମ୍ବା ଲୁକ୍। ଯାହା ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିପାରିନାହିଁ। ଏହାର ପ୍ରତିଦ୍ୱନ୍ଦ୍ୱୀ ବାଇକ୍ ଯେପରିକି Hero Xtreme 125R ଏବଂ Honda CB125 Hornet ଦେଖିବାକୁ ଅଧିକ ସ୍ପୋର୍ଟି ଏବଂ ଦମଦାର୍ ହୋଇଥିବାରୁ ଗ୍ରାହକ ସେଗୁଡ଼ିକୁ ଅଧିକ ପସନ୍ଦ କରୁଛନ୍ତି।
ସେହିଭଳି ବାଇକ୍ରେ ବର୍ତ୍ତମାନର ସାଧାରଣ ଫିଚର୍ସ ଯେପରିକି TFT ଡିସ୍ପ୍ଲେ (TFT Display) ଏବଂ ସୁରକ୍ଷା ପାଇଁ ABS (Anti-lock Braking System) ସୁବିଧା ନଥିଲା। ଆହୁରି ମଧ୍ୟ ଏହି ବାଇକ୍କୁ ଏକ ସମ୍ପୂର୍ଣ୍ଣ ନୂଆ ପ୍ଲାଟଫର୍ମ, ନୂଆ ଇଞ୍ଜିନ୍ ଏବଂ ନୂଆ ଚେସିସ୍ରେ ପ୍ରସ୍ତୁତ କରାଯାଇଥିଲା। ଯାହାଦ୍ୱାରା ଏହାର ଓଜନ ମାତ୍ର ୧୨୫ କିଲୋଗ୍ରାମ ରହିଥିଲା। ହେଲେ କିନ୍ତୁ ଏହି ନୂଆ ପ୍ରୟୋଗ ବଜାରରେ ସଫଳ ହୋଇପାରିନାହିଁ।
ବିଦେଶୀ ବଜାରରେ ଜାରି ରହିବ ବିକ୍ରି:
ଭାରତରେ ବନ୍ଦ ହୋଇଥିଲେ ମଧ୍ୟ ଏହି ବାଇକ୍ର ଯାତ୍ରା ସଂପୂର୍ଣ୍ଣ ବନ୍ଦ ହୋଇନାହିଁ। ବଜାଜ୍ କମ୍ପାନି ଏହାକୁ ନେପାଳ, ପେରୁ, କଲୋମ୍ବିଆ ଏବଂ ମରକ୍କୋ ଭଳି ବିଦେଶୀ ବଜାରରେ ବିକ୍ରି ଜାରି ରଖିବ। ଆଗାମୀ ଦିନରେ ଏହି ବାଇକ୍ ନୂଆ ଲୁକ୍ ଓ ଅଧିକ ଫିଚର୍ସ ସହ ଭାରତକୁ ଫେରିବ କି ନାହିଁ, ସେନେଇ କମ୍ପାନି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।