ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହେବ

ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ କରିବେ । ଆସନ୍ତା ଜୁନ ୨୯ ତାରିଖରେ ରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଆୟୋଜିତ ହେବାକୁ ଯାଉଛି । ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ତେବେ ସେହିକ୍ରମରେ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହେବ । ଆଜି ଦଇତାପତି ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବେ । ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ହେଉଛନ୍ତି ଦଇତାପତି ସେବକ । ଘୋଷ ଯାତ୍ରାର ପରମ୍ପରା ମୁତାବକ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା (ସ୍ନାନଯାତ୍ରା)ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏମାନଙ୍କ ଦ୍ବାରା ସମସ୍ତ ଗୁରୁତ୍ବପୂର୍ଣ୍ଣ ନୀତି ସଂପନ୍ନ ହେବ । ମହାପ୍ରଭୁଙ୍କ ଗୁପ୍ତ ସେବା କରିବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ଦଇତାମାନେ ମନ୍ଦିର ପ୍ରବେଶ କରିବେ ।

ମଙ୍ଗଳ ଆଳତି ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ।  ଦଇତାପତି ସେବକମାନେ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସମସ୍ତ ନୀତି ନିର୍ବାହ କରିବାର ପ୍ରଥା ରହିଛି ।ଦଇତା ପ୍ରବେଶ ପରେ ଆସନ୍ତାକାଲି ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଙ୍କି କରାଯିବ । ବଡସିଂହାର ପରେ ଦଇତା ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ନୀତି ସଂପାଦନ କରିବେ । ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ ଏବଂ ଚାର ବନ୍ଧାଯିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବାନ୍ଧିବା ନୀତି ସଂପନ୍ନ କରିବେ ।

Leave a comment